ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ
ଭୁବନେଶ୍ୱର : ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ । ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟାରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ୍ ପରିଷଦ(ଏସ୍ସିଟିଇ ଆଣ୍ଡ୍ ଭିଟି) କାର୍ଯ୍ୟାଳୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଏଥିରେ୧୨ଟି ବୈଷୟିକ ଓ ବୃତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି ।
ଏମ୍ବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଥିବା ବେଳେ ଏମ୍ସିଏରେ ଈଶାନ୍ତ କୁମାର ନାୟକ ଓ ବି.ଫାର୍ମରେ ଅରୂପ ପଣ୍ଡା ଟପ୍ପର ହୋଇଛନ୍ତି । ସେହିପରି ଏମ୍. ଫାର୍ମରେ ସଚିନ ନାୟକ, ଏମ୍.ଆର୍କରେ ସୃଷ୍ଟି ନଙ୍ଗାଲିଆ ଟପ୍ପର ହୋଇଛନ୍ତି ।ଇଂଟିଗ୍ରେଟେଡ୍ ଏମବିଏରେ ସୃଷ୍ଟି ସମର୍ପିତା ବେରିହା ଟପ୍ପର ହୋଇଛନ୍ତି । ସେହିପରି ଏମ୍ଟେକ୍ ସିଭିଲ ଇଞ୍ଜିନିୟରିଂରେ ସଂଜୀବ ପ୍ରଧାନ ଟପ୍ପର ହୋଇଥିବା ବେଳେ ଏମ୍ଟେକ୍ ଇଲେକ୍ଟ୍ରିକାଲରେ ମିଥୁନ ଅଧିକାରୀ ଓ ମେକାନିକାଲରେ ରାଜନ ଶୁଭଙ୍କର ମହାପାତ୍ର ଟପ୍ପର ହୋଇଛନ୍ତି । କେମିକାଲ ଇଂଜିନିୟରିଂ ହରିୟାଲଇ ବେହେରା , ବାୟୋଟେକ୍ନୋଲୋଜିରେ ଶୁଭଶ୍ରୀ ହୋତା ଟପ୍ପର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୪ ତାରିଖରୁ ୮ ତାରିଖ ମଧ୍ୟରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ୫୭,୮୯୮ ଛାତ୍ରଛାତ୍ରୀ ଓଜେଇଇ ପାଇଁ ପଂଜୀକରଣ କରିଥିବା ବେଳେ ୪୭,୭୬୧ (୮୨.୫%) ପରୀକ୍ଷା ଦେଇଥିଲେ । ୪୭,୭୨୯ ଛାତ୍ରଛାତ୍ରୀଙ୍କୁ ର୍ୟାଙ୍କ୍ ମିଳିଛି । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓଜେଇଇ ଡଟ୍ ଏନଆଇସି ଡଟ୍ ଇନ୍ ରୁ ନିଜ ର୍ୟାଙ୍କ୍ କାର୍ଡ ପାଇପାରିବେ । ରାଜ୍ୟରେ ମୋଟ ୬୧ କେନ୍ଦ୍ର ସମେତ ରାଜ୍ୟ ବାହାରେ ୪ ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା ।
