ଆଜି ଅବସର ନେବେ ଓଏଚ୍ଆର୍ସି ଅଧ୍ୟକ୍ଷ, ୨୪ରେ ବଛା ହେବେ ନୂଆ ଅଧ୍ୟକ୍ଷ
ଭୁବନେଶ୍ବର : ଆଜି କାର୍ଯ୍ୟରୁ ଅବସର ନେବେ ଓଡ଼ିଶା ମାନବ ଅଧିକାର ଆୟୋଗ (ଓଏଚ୍ଆର୍ସି)ର ଅଧ୍ୟକ୍ଷ ଜଷ୍ଟିସ୍ ବିଜୟ କ୍ରିଷ୍ଣା ପଟେଲ । ଡିସେମ୍ବର ୧, ୨୦୨୦ରେ ଜଷ୍ଟିସ୍ ପଟେଲ ମାନବ ଅଧିକାର କମିସନ ଅଧ୍ୟକ୍ଷ ଦାୟିତ୍ବ ନେଇଥିଲେ ହେଁ ଆଜି ତାଙ୍କୁ ୭୦ ବର୍ଷ ହେଉଥିବାରୁ ସେ ଅବସର ନେବେ। ଏଥିପାଇଁ ଆସନ୍ତା ୨୪ରେ ଓଏଚ୍ଆର୍ସିର ନୂଆ ଅଧ୍ୟକ୍ଷ ବାଛିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ ବୋଲି ଜଣାପଡ଼ିଛି।
ସୂଚନା ଯେ, ଏବେ ଓଏଚ୍ଆର୍ସିର ଜଣେ ସଦସ୍ୟଙ୍କ ପଦବି ଖାଲି ପଡ଼ିଛି। ତେଣୁ ଏକସଙ୍ଗେ ଅଧ୍ୟକ୍ଷ ଓ ସଦସ୍ୟଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରି ୨୪ରେ ଅପରାହ୍ନ ୫ଟା ଏବଂ ୫ଟା ୧୫ରେ ଅନଲାଇନ୍ରେ ଦୁଇଟି ବୈଠକ ଡାକିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ଗୃହ ବିଭାଗ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଯୋଗଦେବେ। ଏହି କମିଟି ପ୍ରଥମେ ଓଏଚ୍ଆର୍ସିର ଅଧ୍ୟକ୍ଷ ଏବଂ ପରେ ସଦସ୍ୟଙ୍କ ନାମ ଉପରେ ଆଲୋଚନା କରିବ। ଏହାପରେ ରାଜ୍ୟପାଳଙ୍କୁ ନାମ ସୁପାରିସ୍ କରାଯିବ। ଏହା ପରେ ରାଜ୍ୟପାଳ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।
