ଓଆରଏଚଡିସି ଦୁର୍ନୀତି ମାମଲା : ମହମ୍ମଦ ମୋକିମ ଓ ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ୍
ଫସାଇ ଦିଆଯାଇଛି, ହାଇକୋର୍ଟ ଯିବି : ମୋକିମ୍
ଭୁବନେଶ୍ୱର : ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ଏମ୍ଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଛି । ଭୁବନେଶ୍ୱର ଭିଜିଲାନ୍ସ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ମୋକିମ୍ ଙ୍କ ସହିତ ପୂର୍ବତନ ଆଇଏଏସ୍ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍ ଲେଖାଏଁ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଜେଲ୍ ଦଣ୍ଡ ସହ ସମସ୍ତଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି କୋର୍ଟ । ଜରିମାନା ଅନାଦେୟ ହେଲେ ସେମାନେ ଅଧିକ ୬ ମାସ ଜେଲ୍ରେ ରହିବେ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି ।
ଏହି ମାମଲାରେ ମହମ୍ମଦ ମୋକିମ ପ୍ରତିକ୍ରିୟା ଦେଇ କହିଛନ୍ତି, ବ୍ୟବସାୟ କରି ବିରୋଧୀ ଦଳରୁ ରାଜନୀତି କଲେ ଏମିତି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼େ । ଆଇଏଏସ୍ ବିନୋଦ କୁମାରଙ୍କୁ ସେତେବେଳେ ଟାର୍ଗେଟ କରି ଆମକୁ ଫସାଇଛନ୍ତି । ଆମେ ଦେଢ଼ କୋଟି ଟଙ୍କା ଋଣ ନେଇଥିଲୁ, ୧.୨୬ କୋଟି ଶୁଝିଥିଲୁ, କୌଣସି ପ୍ରକାର ଅନୀତି ହୋଇନି । ଯେଉଁ କୋର୍ଟ ଦଣ୍ଡାଦେଶ କରିଛନ୍ତି, ସେହି କୋର୍ଟ ଜାମିନ ବି ଦେଇଛନ୍ତି । ମୁଁ ଜାମିନରେ ଅଛି ଓ ହାଇକୋର୍ଟ ଯିବି ବୋଲି ସେ କହିଛନ୍ତି ।
ସୂଚନା ଅନୁଯାୟୀ ୨୦୦୦ ଜାନୁଆରୀ ୪ ତାରିଖରୁ ୨୦୦୧ ମେ’ ୧୫ ତାରିଖ ପର୍ଯ୍ୟନ୍ତ ପୂର୍ବତନ ଆଇଏଏସ୍ ଅଫିସର ବିନୋଦ କୁମାର ଓଆରଏଚଡିସିର ପରିଚାଳନା ନିର୍ଦ୍ଦେଶକ ଥିଲା ବେଳେ ସ୍ୱସ୍ତି ରଞ୍ଜନ ମହାପାତ୍ର କମ୍ପାନୀ ସେକ୍ରେଟେରୀ ଭାବେ କାର୍ଯ୍ୟ କରୁଥିଲେ । ୨୦୦୦ ଜୁନ୍ ୨୪ ତାରିଖରେ ଭୁବନେଶ୍ୱର ନୟାପଲ୍ଲୀରେ ମେଟ୍ରୋ ସିଟି-୨ ପ୍ରୋଜେକ୍ଟରେ ୫୦ଟି ଫ୍ଲାଟ ନିର୍ମାଣ ପାଇଁ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ଓଆରଏଚଡିସିରେ ୧୫୦ ଲକ୍ଷ ଟଙ୍କାର ଋଣ ଆବେଦନ କରିଥିଲା । ବିନୋଦ କୁମାରଙ୍କ ନିର୍ଦ୍ଦେଶ ପ୍ରକାରେ ସ୍ୱସ୍ତି ରଞ୍ଜନ ମହାପାତ୍ର ଋଣ ଆବେଦନ ଦରଖାସ୍ତକୁ ଯାଂଚ କରିଥିଲେ । ଏହାପରେ ମେଟ୍ରୋ ବିଲଡର୍ସକୁ ତିନିଟି କିସ୍ତିରେ ଋଣ ଅର୍ଥ ପ୍ରଦାନ କରାଯାଇଥିଲା । ତେବେ ଋଣ ଅନୁମୋଦନ ପୂର୍ବରୁ କ୍ଷେତ୍ର ପରିଦର୍ଶନ କରାଯାଇନଥିଲା । ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣସ, ପ୍ରୋଜେକ୍ଟ ପାଇଁ ବିଡିଏର ପ୍ଲାନ୍ ଅନୁମୋଦନ, ପ୍ରୋଜେକ୍ଟ ଏଷ୍ଟିମେଟ୍, ଅଗ୍ନିନିରାପତା ପ୍ରମାଣପତ୍ର ଓ ଏଭଳି ଅନେକ ଡକ୍ୟୁମେଂଟକୁ ଠିକ୍ ଭାବେ ଯାଂଚ କରାଯାଇନଥିଲା । ତଦନ୍ତ ବେଳେ ମେଟ୍ରୋ ବିଲଡର୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଦାଖଲ କରାଯାଇଥିବା ଡକ୍ୟୁମେଂଟ ନକଲି ଜଣାପଡ଼ିଥିଲା । ସମସ୍ତ ଅଭିଯୁକ୍ତ ଅପରାଧିକ ଷଡ଼ଯନ୍ତ୍ର କରି ସରକାରଙ୍କୁ କ୍ଷତି ପହଂଚାଇଥିଲେ ଓ ଅନୁଚିତ ଉପାୟରେ ଏକ ବିଲଡର ସଂସ୍ଥାକୁ ଲାଭ ଦେଇଥିଲେ । ମାମଲାର ଶୁଣାଣି ବେଳେ ୧୭ରୁ ଅଧିକ ସାକ୍ଷୀଙ୍କୁ ପଚରାଉଚରା କରାଯାଇଥିଲା ।
