ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି – ଶରତ ପଟ୍ଟନାୟକ
ଭୁବନେଶ୍ୱର : ସ୍ୱାସ୍ଥ୍ୟ ସେବା ନାମରେ ନବୀନ ସରକାର ଓଡ଼ିଶାବାସୀଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି । ନିକଟରେ ବିଶ୍ୱବ୍ୟାଙ୍କର ସର୍ଭେରୁ ରାଜ୍ୟ ସରକାରଙ୍କ ଚିକିତ୍ସା ବ୍ୟବସ୍ଥାରେ କାର୍ଯ୍ୟରତ ୪୯ ପ୍ରତିଶତ ଡାକ୍ତର ନକଲି ବୋଲି ପ୍ରକାଶିତ ହେବାପରେ ରାଜ୍ୟବାସୀଙ୍କର ନବୀନ ସରକାରଙ୍କ ଚିକିତ୍ସା ବ୍ୟବସ୍ଥା ଉପରୁ ଭରସା ତୁଟିଯାଇଛି ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ.ଜଷ୍ଟିସ ଏସ ମୁରଲୀଧର ଏବଂ ଡକ୍ତର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟରେ କାର୍ଯ୍ୟକରୁଥିବା ସମସ୍ତ ଡାକ୍ତରମାନଙ୍କର ଯୋଗ୍ୟତା ଯାଂଚକରି ତଥ୍ୟ ଉପସ୍ଥାପନ ଶୀଘ୍ର କରନ୍ତୁ । ୨୦୨୨ ଅକ୍ଟୋବର-୧୮ ତାରିଖ ଏହି ମାମଲାରୁ ଶୁଣାଣି ସମୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠରେ ଯେ ରାଜ୍ୟ ସରକାର ଜଣେ ଉପଯୁକ୍ତ ଶିକ୍ଷା ନଥାଇ ମଧ୍ୟ ତାଙ୍କୁ ଡାକ୍ତର ଭାବେ ନିଯୁକ୍ତି ଦିଆଯାଇଥିଲା । ୨୦୧୦ ସୁଦ୍ଧା ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାର ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ୨୦୨୨ରେ ପୂରଣ ହେଲା ନାହିଁ । ରାଜ୍ୟରେ ମେଲେରିଆ ଓ ଡେଙ୍ଗୁ ରୋଗର ସ୍ଥିତି ଉଦବେଗ ଜନକ । ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାରେ ବିକଳ ଚିତ୍ର ଉପସ୍ଥାପନା କରି କହିଛନ୍ତି ଯେ ଓଡ଼ିଶା ବଜାରରେ ନକଲି ଔଷଧ ହାଉଯାଉ । ଅସାଧୁ ବ୍ୟବସାୟୀ ଏବଂ ଭେଷଜ ନିୟନ୍ତ୍ରକଙ୍କ ଅପାରଗତା ଯୋଗୁଁ ରାଜ୍ୟରେ ଅତ୍ୟନ୍ତ ଭରଷାଯୋଗ୍ୟ ଔଷଧ ଗୁଡ଼ିକର ନକଲ କରି ପ୍ରଚୁର ପରିମାଣରେ ବିକ୍ରେତାଙ୍କ ମାଧ୍ୟମରେ ବିକ୍ରି କରାଯାଉଛି । ପାଖାପାଖି ୩୦ ପ୍ରକାର ଔଷଧ ଯାହା ବଜାରରେ ବିକ୍ରି ହେଉଥିଲା ତାହାକୁ ଏବେ ଭେଷଜ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରୁ ଫେରସ୍ତ ନେବା ହ୍ୱାଟସଆପ ମାଧ୍ୟମରେ ଔଷଧ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ବିଭିନ୍ନ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି । କିଛିମାସ ତଳେ ବ୍ଲଡ ପ୍ରେସର ଔଷଧ ଟେଲମା-୪୦, ଟେଲମା- ଏଏନ ଔଷଧ ସଂପୂର୍ଣ୍ଣ ନକଲି ବୋଲି ଜଣାପଡ଼ିଥିଲା । କିନ୍ତୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନହେବା ହେତୁ ପୁଣି କ୍ଲାଭାମ-୬୨୫ ଆଂଟିବାଇଟିକ ଔଷଧ ନକଲି ବୋଲି ଜଣାପଡ଼ିଲା ପରେ ତାକୁ ମଧ୍ୟ ବଜାରରୁ ଫେରାଇ ନିଆଯାଇଥିଲା । କିନ୍ତୁ ଏବେ ବଜାରରେ ବିକ୍ରି ହେଉଥିବା ଝାଡ଼ା ପାଇଁ ଓ-୨, ଗ୍ୟାସ ବଟିକା ପାଂଟବ, ଅଲଟ୍ରାସେଟ, ବ୍ରେକ, ଫାବିପିରାଭିର୍ (କୋଭିଡ ଔଷଧ) ଭଳି ବିଭିନ୍ନ ବହୁଳ ଭାବରେ ବିକ୍ରି ହେଉଥିବା ଔଷଧ ସଂପୂର୍ଣ୍ଣ ନକଲି ବୋଲି ଏବେ ପରୀକ୍ଷାରୁ ଜଣାପଡ଼ିଲା । ଏହି ଔଷଧ ସବୁ ନିର୍ଦ୍ଦିଷ୍ଟ କିଛି ଯୋଗାଣକାରୀ ମାନେ ଦୀର୍ଘଦିନ ଧରି ଯୋଗାଇ ଚାଲିଛନ୍ତି । କିନ୍ତୁ ଏସବୁ ଔଷଧର ମାନ କେବେ ପରୀକ୍ଷା ହେଉନାହିଁ ଫଳରେ ସାଧାରଣ ଲୋକର ରୋଗ କମିବା ପରିବର୍ତେ ରୋଗ ବୃଦ୍ଧି ପାଉଛି । ବହୁ ପଇସା ଖର୍ଚ୍ଚ କରି ନକଲି ଔଷଧ କିଣିବା ରାଜ୍ୟବାସୀଙ୍କ ପାଇଁ ସାର ହେଉଛି । ସରକାର କିଭଳି ଜାଣିପାରୁ ନାହାନ୍ତି ବଜାରରେ ନକଲି ଔଷଧ ଏତେ ପରିମାଣରେ ବିକ୍ରି ହେଉଛି ନା ଏହା ସରକାରୀ କଳ ଏବଂ ଦଳର ଅନୁମୋଦନରେ ଏ କାରବାର ଚାଲିଛି । ଏଭଳି ଏକ ସଙ୍ଗୀନ ସର୍ଭେ ରିପୋର୍ଟ ପ୍ରକାଶ ପାଇବା ପରେ ଏପରିକି ଉଚ୍ଚନ୍ୟାୟଳର କଟୁଉକ୍ତି ପରେ ମଧ୍ୟ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟମନ୍ତ୍ରୀ କିମ୍ବା ସ୍ୱାସ୍ଥ୍ୟବିଭାଗର ପଦାଧିକାରୀ କେହି ଏ ବାବଦରେ ପାଟି ନଖୋଲିବା କ’ଣ ଦର୍ଶାଉଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଜଣେ ରୋଗୀ ଆଜି ଅସହାୟତା, ଭୟାବହ ଏବଂ ଏକ ଅବିଶ୍ୱାସନୀୟତା ବାତାବରଣ ଭିତରେ ଆତଙ୍କିତ ଅବସ୍ଥାରେ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
