ଲୋକାର୍ପିତ ହେଲା ରାଜ୍ୟର ପ୍ରଥମ ଭିନ୍ନକ୍ଷମ ପରିଚାଳିତ କଲେକ୍ଟରେଟ କ୍ୟାଣ୍ଟିନ ‘ଚଟଣୀ’, ମିଳିବ ସମ୍ପୂର୍ଣ ନିରାମିଷ ଭୋଜନ
ପୁରୀ : ପୁରୀ ଜିଲା ପ୍ରଶାସନ ଦ୍ଵାରା ଆରମ୍ଭ ହୋଇଥିବା ‘ଖୁସି’ ଯୋଜନା ମାଧ୍ୟମରେ ଲୋକାର୍ପିତ ହୋଇଛି ରାଜ୍ୟର ପ୍ରଥମ ଭିନ୍ନକ୍ଷମ ପରିଚାଳିତ କଲେକ୍ଟରେଟ କ୍ୟାଣ୍ଟିନ ‘ଚଟଣୀ’ । ଭିନ୍ନକ୍ଷମ ମାନଙ୍କୁ ଜୀବନ ଜୀବିକା ଯୋଗାଇ ଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ପୁରୀ କଲେକ୍ଟରକ୍ଟ କ୍ୟାମ୍ପସ ମଧ୍ୟରେ ନୂତନ ଭାବରେ ଆରମ୍ଭ ହୋଇଥିବା କ୍ୟାଣ୍ଟିନର ପରିଚାଳନାର ଦାୟୀତ୍ବ ପୁରୀର ବାବା ଏକାମ୍ବ୍ରେଶ୍ୱେର ଭିନ୍ନକ୍ଷମ ସ୍ବୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଛି । ଏଥି ସହିତ ‘ଖୁସି’ ଯୋଜନାର ଲୋଗୋ ମଧ୍ୟ ଉନ୍ମୋଚିତ ହୋଇଛି ।

କାର୍ଯ୍ୟକ୍ରମରେ ଯୋଗଦେଇ ଜିଲାପାଳ ସମର୍ଥ ବର୍ମା ପ୍ରଶାସାନ ତରଫରୁ ଆରମ୍ଭ କରାଯାଇଥିବା ‘ଖୁସି’ ଯୋଜନାରେ ଆଗାମୀ ସମୟରେ ସମାଜର ପ୍ରତ୍ୟେକ ବର୍ଗ ପାଇଁ ବିଭିନ୍ନ କାର୍ଯକ୍ରମ ଆୟୋଜିତ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ଯୋଗ ଦେଇ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ ନବ ନିର୍ମିତ ପାର୍କିଂ ସ୍ଥାନକୁ ଉଦଘାଟନ କରିଥିଲେ ଏବଂ ଏହି ସମ୍ପୂର୍ଣ୍ଣ ନିରାମିଷ ଭୋଜନାଳୟ ସମସ୍ତଙ୍କ ପାଇଁ ଉପଯୋଗୀ ହେବ ବୋଲି କହିଥିଲେ । କାର୍ଯ୍ୟରତ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଓ ଜିଲାପାଳଙ୍କ କାର୍ଯ୍ୟାଳୟକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ବ୍ୟକ୍ତି ମାନେ ସେମାନଙ୍କ ଗାଡି ଏଠାରେ ରଖିପାରିବେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ମହାପାତ୍ର, ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ, ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ବାଇଁ, ଉପ ଜିଲାପାଳ ଭବତାରଣ ସାହୁ, ଜିଲା ଜରୁରୀକାଳୀନ ଅଧିକାରୀ ଜିତେନ୍ଦ୍ର କୁମାର ପାତ୍ର, ନିଜାରତ ଅଧିକାରୀ ପର୍ଶୁରାମ ମଲ୍ଲିକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ନାୟକ, କ୍ରୀଡାଧିକାରୀ ଚନ୍ଦନ କୁମାର ସାହୁ, ପରାମର୍ଶଦାତା ସିଦ୍ଧାର୍ଥ ରାୟ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
