ଆଜି ବିଧାନସଭାର ଶୀତକାଳୀନ ଅଧିବେଶନ : ଉପସ୍ଥାପନ ହେବ ଅତିରିକ୍ତ ବଜେଟ
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପନ ହେବ ଅତିରିକ୍ତ ବଜେଟ । ୧୯ ହଜାର କୋଟିରୁ ଅଧିକ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ପଞ୍ଚାୟତ ନିର୍ବାଚନ ଅବ୍ୟବହିତ ପୂର୍ବରୁ ଅତିରିକ୍ତ ବଜେଟର ଆକାର ବୃଦ୍ଧିକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ। ବଜେଟ ଆକାର ବଢୁଥିଲେ ବି ଯୋଜନା କାର୍ଯ୍ୟକାରୀ ହୋଇ ପାରୁନି ବୋଲି କରିଛନ୍ତି ଅଭିଯୋଗ । ଅତିରିକ୍ତ ବଜେଟ କେବଳ ନିର୍ବାଚନଭିମୁଖୀ ବୋଲି କହିଛନ୍ତି ବିରୋଧୀ । ନିର୍ବାଚନ ଆସିଲେ ସରକାର ଏକ ନୂଆ ରୂପ ଧାରଣ କରନ୍ତି । ଯାହା କିଛି କୁହନ୍ତି ତାହା ପାଳନ କରନ୍ତି ନାହିଁ। ସରକାର ଶସ୍ତା ରାଜନୀତି କରୁଛନ୍ତି । ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । ଅତିରିକ୍ତ ବଜେଟକୁ ନେଇ ଏଭଳି କହିଛନ୍ତି ବିଜେପି ବିଧାୟିକା କୁସୁମ ଟେଟେ ।
ସେହିପରି ଅତିରିକ୍ତ ବଜେଟକୁ ନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ସରକାର ବାରମ୍ବାର ନିର୍ବାଚନ ପୂର୍ବରୁ ଲୋକଙ୍କୁ ପ୍ରଲୋଭନ ଦେଖାଇ କିଛି ନୂଆ ଯୋଜନା କରନ୍ତି । ସ୍କିମ ଉପସ୍ଥାପନ କରୁଛନ୍ତି କିନ୍ତୁ ବାସ୍ତବରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା ଜନସାଧାରଣ ଜାଣି ସାରିଲେଣି। ଏଥର ଆଉ ନିର୍ବାଚନ ପୂର୍ବରୁ ଏ ବଜେଟ କାମ ଦେବନି। ଦୁର୍ଗମ ଅଞ୍ଚଳରେ ପାନୀୟ ଜଳ ପହଞ୍ଚାଇବା ରେ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି। ଖାଲି ଋଣ ହାର ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଅତିରିକ୍ତ ବଜେଟକୁ ନେଇ ଶାସକ ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା କହିଛନ୍ତି, ଅତିରିକ୍ତ ବଜେଟ ୨୨ ବର୍ଷ ତଳ ମୂଳ ବଜେଟ କୁ ଅତିକ୍ରାନ୍ତ କରିଛି। ବଜେଟ ଅଭିବୃଦ୍ଧି ବିକାଶ ସହିତ ଯୋଡାଯିବା ଉଚିତ । ଗ୍ରାମାଞ୍ଚଳ ବିକାଶ ଭିତ୍ତିଭୂମିକୁ ସରକାର ଗୁରୁତ୍ବ ଦେଇଆସିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ ସହ ଜନମଙ୍ଗଲ ଯୋଜନା ଫୋକସ ସରକାରଙ୍କ ରହିଛି ବୋଲି କହିଛନ୍ତି ।
