ଆଉ ୩-୪ ଦିନ ଶୀତରେ ଥରିବ ଓଡିଶା
ଭୁବନେଶ୍ୱର- ରାଜ୍ୟରେ ଆଜିଠାରୁ ପ୍ରବଳ ଥଣ୍ଡା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । ଆଜିଠାରୁ ୩୦ ତାରିଖ ଯାଏଁ ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପାରଦ ୩ରୁ ୪ ଡିଗ୍ରୀ ହ୍ରାସ ପାଇବ । ଆଜିଠାରୁ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ବଢିବା ସହ ପାହାଡିଆ ଅଂଚଳରେ ରାତିର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିପାରେ ବୋଲି ଆଂଚଳିତ ପାଣିପାଗ ବିଭାଗ କହିଛି । ବର୍ତ୍ତମାନ ସାରା ରାଜ୍ୟରେ ଶୁଖିଲା ପାଗ ରହିଥିବା ବେଳେ ଶୀତ ବଢିବ ବୋଲି ସୂଚନା ମିଳିଛି ।
ରାଜ୍ୟରେ ତିନି ଦିନ ଯାଏଁ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ । ଆସନ୍ତା ୨ ଦିନରେ ପାରଦ ୪ ଡିଗ୍ରି ଯାଏ ତଳକୁ ଖସିବ । ଫଳରେ ପ୍ରବଳ ଶୀତ ଅନୁଭୂତ ହେବ । ଏଥିପାଇଁ ୩୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗୀର ଓ ବରଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୮ରେ ୬ଟି ଜିଲ୍ଲାରେ ଅଧିକ ଶୀତ ହେବ ବୋଲି ଆକଳନ ହୋଇଛି । ୨୯ରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସୋନପୁର, ବଲାଙ୍ଗିର, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କଳାହାଣ୍ଡି ଓ ବରଗଡ଼ରେ ଶୀତ ଲହରି ବହିପାରେ । ୩୦ରେ ମଧ୍ୟ ଏହି ସମସ୍ତ ଜିଲ୍ଲାରେ ଶୀତ ଲହରି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ହେଲେ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା.ସୁରେନ୍ଦ୍ରନାଥ ପଶୁପାଳକ ଭିନ୍ନ ଆକଳନ କରିଛନ୍ତି । ଆସନ୍ତା ସପ୍ତାହ ଯାଏ ରାଜ୍ୟରେ ଶୀତ ଲହରି ନାହିଁ । କୌଣସି ସ୍ଥାନରେ ଶୀତ ବଢ଼ିବ ନାହିଁ ବୋଲି ସେ କହିଛନ୍ତି । ଆସନ୍ତାକାଲି ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ପାଗ କୁହୁଡ଼ିଆ ରହିବ ବୋଲି ପାଣିପାଗ ସୂତ୍ରରୁ ପ୍ରକାଶ ।
