ଆଇସିସି ଇଣ୍ଡିଆ ଷ୍ଟାର୍ଟଅପ୍ ସପ୍ତାହ ପାଳନରେ ଯୋଗଦେଲା ଓଡ଼ିଶା ଷ୍ଟାର୍ଟଅପ୍
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ଷ୍ଟାର୍ଟଅପ୍ ଗତ ଅକ୍ଟୋବର ୪ ତାରିଖରୁ ଆରମ୍ଭ ହୋଇଥିବା ଆଇସିସି ଇଣ୍ଡିଆ ଷ୍ଟାର୍ଟଅପ୍ ସପ୍ତାହରେ ଯୋଗଦେଇଛି । ଏଥିରେ ଯୋଗଦେଇ ଓଡ଼ିଶା ଅନେକ ଜାତୀୟ, ଅନ୍ତର୍ଜାତୀୟ ସ୍ତରୀୟ ପ୍ୟାନେଲ ଆଲୋଚନା ସମେତ ପ୍ରଦର୍ଶନୀ, ଷ୍ଟାର୍ଟଅପ୍ ବୈଠକରେ ଅଂଶଗ୍ରହଣ କରିବା ସହିତ କର୍ପୋରେଟ୍ ଜଗତ ସହିତ ଭାବବିନିମୟ କରିବାର ସୁଯୋଗ ଲାଭ କରିବ । ଏହି ଅଧିବେଶନକୁ ଉତରପ୍ରଦେଶ ସରକାରଙ୍କ ଆଇଟି ମନ୍ତ୍ରୀ ଅଜିତପାଲ୍ ସିଂହ ଉଦ୍ଘାଟନ କରିଥିବାବେଳେ କର୍ଣ୍ଣାଟକ ସରକାରଙ୍କ ସୂଚନା ଓ ପ୍ରଯୁକ୍ତି ଓ ଶିକ୍ଷା ମନ୍ତ୍ରୀ ଡ. ସି.ଏନ୍. ଆହ୍ୱାତ ନାରାୟଣ, ଇନଭେଷ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ ନିର୍ବାହୀ ଅଧିକାରୀ ଦୀପକ ବାଗ୍ଲା, ଓଡ଼ିଶା ଏମ୍ଏସ୍ଏମ୍ଇ ବିଭାଗ ପ୍ରମୁଖ ଶାସନ ସଚିବ ଓ ଷ୍ଟାର୍ଟଅପ୍, ଓଡ଼ିଶାର ଅଧ୍ୟକ୍ଷ ସତ୍ୟବ୍ରତ ସାହୁ, ଆଇସିସି ଓଡ଼ିଶା ପ୍ରଦେଶ କାଉନ୍ସିଲର ଅଧ୍ୟକ୍ଷ ଜେ.ବି. ପାଣି ପ୍ରମୁଖ ଯୋଗଦେଇଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ ଏମ୍ ଏସ୍ଏମ୍ଇ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସଂସ୍ଥା ଭାବେ ଷ୍ଟାର୍ଟଅପ୍ ଓଡ଼ିଶା କିପରି ରାଜ୍ୟର ଷ୍ଟାର୍ଟଅପ୍ ବିକାଶ ଓ ଉନ୍ନତିକରଣ ଦିଗରେ କାର୍ଯ୍ୟକରି ଏକ ଉତମ ପରିମଣ୍ଡଳ ସୃଷ୍ଟି କରିଛି ତାହା ଦର୍ଶାଇଥିଲେ । ସୁଚିନ୍ତିତ ଯୋଜନା, ପାଣ୍ଠି ବିନିଯୋଗ ଏବଂ ସ୍ୱତନ୍ତ୍ର ଭାବେ ପ୍ରଣୟନ କରାଯାଇଥିବା ନୀତି ଯୋଗୁଁ ଉଦ୍ୟୋଗୀକରଣକୁ ଏକ ନୂତନ ସୋପାନକୁ ଅଣାଯାଇ ପାରିଥିବା ସେ ପ୍ରକାଶ କରିଥିଲେ । ଚଳିତ ବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱରଠାରେ ୨୦୦ଟି ଷ୍ଟାର୍ଟଅପ୍ କୁ ସହାୟତା ପ୍ରଦାନ ପାଇଁ ସକ୍ଷମଯୋଗ୍ୟ ଅତ୍ୟାଧୁନିକ ଇନ୍କ୍ୟୁବେଟର କାର୍ଯ୍ୟକ୍ଷମ ହେବାକୁ ଯାଉଥିବା ବିଷୟରେ ସେ ସୂଚନା ଦେଇଥିଲେ । ଏହି ଷ୍ଟାର୍ଟଅପ୍ ସପ୍ତାହ ପାଳନରେ ରାଜ୍ୟର ମନୋନୀତ ୫୫ଟି ଷ୍ଟାର୍ଟଅପ୍ ଅଂଶଗ୍ରହଣ କରୁଛନ୍ତି । ଏମାନେ ଆଇଆଇଏମ୍, କୋଲକାତାର ସୃଜନଶୀଳ ପାର୍କ, ଆଇଆଇଆଇଟି, ହାଇଦ୍ରାବାଦ୍ ଏଞ୍ଜେଲସ୍, ମୁମ୍ବାଇ ଏଞ୍ଜେଲସ୍, ସହସ୍ର ଭିସି, ଆଇସିସ ନେକ୍ଷ୍ଟ, ବାରକ୍ଲେସ୍ ରାଇଜ୍ , ନାସ୍କମ୍, ମଣପୁରମ୍ ଫାଇନାନ୍ସ, କ୍ୱାଂଟମ୍ ଏମ୍ଏଫ୍, ଏଚ୍ଡି ଏଫସି, ଇର୍ଗୋ, ସେବୀ, ସକ୍ସିଡ୍ ଭିସି, ରେନ୍ମ୍ୟାଟର ଫାଉଣ୍ଡେସନ୍, ଏଲ୍ ଏଣ୍ଡ ଟି ଏମ୍ଏଫ୍ ଏବଂ ୟୁନିକର୍ଣ୍ଣ ଭିସି ଭଳି ପ୍ରମୁଖ ବିନିବେଶକାରୀ ସଂସ୍ଥାଗୁଡ଼ିକ ସହ ପିଚିଂ ସେସନ୍ରେ ଯୋଗଦେଇ ନିବେଶକମାନଙ୍କ ଦୃଷ୍ଟି ଆକର୍ଷଣ କରିବେ । କେ. ୱାନ୍ ଭେନ୍ଚର, ଏସ୍ଏସ୍ ଆସୋସିଏସନ୍, କାରଖାନା ମାକେର୍ସପେସ୍, ଜବସ୍କୁଲ୍, ପ୍ରୋଟେଓନିକ୍ସ ଟେକ୍ନୋଲୋଜି, ଡେଷ୍ଟାରିଟି ଏଂଟଟେନ୍ମେଂଟ େ(ୱ ଟୁଷ୍ଟାର) ସାକ୍ରୋବୁଟିକ୍ସ ଏବଂ ୟୁସିଡ଼ି ଏଡୁକେଟ୍ ଭଳି ୮ଟି ଷ୍ଟାର୍ଟଅପ୍ ତାଙ୍କର କାର୍ଯ୍ୟକ୍ରମସବୁକୁ ମଇଦାନରେ ଉତାରି ସାରିଛନ୍ତି ।
