ଖୋଲିଲା ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ବିଦ୍ୟାଳୟ : ପ୍ରଥମ ଦିନର ଉପସ୍ଥାନ ଉତ୍ସାହଜନକ
ଭୁବନେଶ୍ୱର : ରାଜ୍ୟର ସମସ୍ତ ଜିଲ୍ଲାରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିଛି । ୩୭,୫୩୩ଟି ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଉପଜାତି ପରିଚାଲିତ ବିଦ୍ୟାଳୟ ଏବଂ ଅଣ ଅନୁଦାନପ୍ରାପ୍ତ ବେସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ୨୪,୪୫,୪୦୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଜି ପ୍ରଥମ ଦିବସରେ ୧୪,୪୨,୭୯୦ ଜଣ ଛାତ୍ରଛାତ୍ରୀ ବିଦ୍ୟାଳୟରେ ଯୋଗଦେଇଥିଲେ ।
ଦେବଗଡ଼ ଜିଲ୍ଲାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ସର୍ବାଧିକ ୮୫ ପ୍ରତିଶତ ବିଦ୍ୟାର୍ଥୀ ଉପସ୍ଥାନ ଦେଇଥିବାବେଳେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସର୍ବାଧିକ ୯୧ ପ୍ରତିଶତ ରହିଥିଲା । କେନ୍ଦ୍ରାପଡ଼ା ଜିଲ୍ଲାରେ ଉଚ୍ଚ ପ୍ରାଥମିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୭ ପ୍ରତିଶତ ହୋଇଥିଲା । ଉଚ୍ଚ ମାଧ୍ୟମିକ କ୍ଷେତ୍ରରେ ଦେବଗଡ଼ ସହିତ ବାଲେଶ୍ୱର, ବଲାଙ୍ଗୀର, ଝାରସୁଗୁଡ଼ା,କେନ୍ଦ୍ରାପଡ଼ା, କେଉଁଝର ଏବଂ ସମ୍ବଲପୁର ଜିଲ୍ଲାମାନଙ୍କରେ ଉପସ୍ଥାନ ହାର ବହୁତ ଭଲ ରହିଛି । ମାଧ୍ୟମିକ ସ୍ତରରେ ଅନୁଗୋଳ, କେନ୍ଦ୍ରାପଡ଼ା, କେଉଁଝର, କଟକ, ଗଞ୍ଜାମ, ରାୟଗଡା଼ ଏବଂ ବରଗଡ଼ ଜିଲ୍ଲାରେ ଉପସ୍ଥାନ ଉତ୍ସାହଜନକ ଅଛି । ପ୍ରାଥମିକ ସ୍ତରରେ ଅଷ୍ଟମ ଶ୍ରେଣୀରେ କେନ୍ଦ୍ରାପଡ଼ା ଜିଲ୍ଲା ସହିତ ଅନୁଗୋଳ, ବଲାଙ୍ଗୀର, କଟକ, ଦେବଗଡ଼, କେଉଁଝର ଜିଲ୍ଲାମାନଙ୍କରେ ପିଲାମାନଙ୍କ ଉପସ୍ଥାନ ହାର ବହୁତ ଭଲ ରହିଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମାନଙ୍କରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କର ଉପସ୍ଥାନ ମଧ୍ୟ ଖୁବ୍ ଭଲ ରହିଛି । ଗଞ୍ଜାମ ଜିଲ୍ଲାରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଭଲ ରହିଛି । ବ୍ରହ୍ମପୁରସ୍ଥିତ ସରକାରୀ ବାଳିକା ବିଦ୍ୟାଳୟରେ ଆଜି ଉପସ୍ଥାନ ୬୦ ପ୍ରତିଶତ ରହିଥିବାବେଳେ ହିଞ୍ଜିଳିକାଟୁର କଂଚୁରା ସରକାରୀ ବିଦ୍ୟାଳୟ, କୁକୁଡ଼ାହାଣ୍ଡିର ହୁଗୁଳାପୋଟ୍ଟା କୃଷକ ବିଦ୍ୟାଳୟ, ପାତ୍ରପୁର, ସାମନ୍ତିଆପଲ୍ଲିସ୍ଥିତ ମହନ୍ତଶ୍ରୀ ପରଙ୍କୁଶ ବିଦ୍ୟାଳୟ, ରଙ୍ଗେଇଲୁଣ୍ଡା ବ୍ଲକ୍ କଲୋନିସ୍ଥିତ ପିଓପିଏସ୍ ଏବଂ ରଙ୍ଗିପୁର ଏନ୍ୟୁପିଏସ୍ (ଅଷ୍ଟମ ଶ୍ରେଣୀ)ରେ ବିଦ୍ୟାର୍ଥୀଙ୍କ ଉପସ୍ଥାନ ଉତ୍ସାହଜନକ ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମସ୍ତ ବିଦ୍ୟାଳୟରେ ଶତପ୍ରତିଶତ ଶିକ୍ଷକ ଏବଂ କର୍ମଚାରୀଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇ ସାରିଛି । ବିଦ୍ୟାଳୟରେ ପଢ଼ୁଥିବା ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କୁ ଟିକା ଦିଆଯାଇ ସାରିଥିବାବେଳେ ଅବଶିଷ୍ଟ ୪୫ ପ୍ରତିଶତଙ୍କୁ ଖୁବ୍ ଶୀଘ୍ର ଟିକା ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ ।
ଶିକ୍ଷକମାନଙ୍କୁ ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ଏବଂ ମାସ୍କ ପରିଧାନ ପରି ଉପଯୁକ୍ତ କୋଭିଡ୍ ମାର୍ଗଦର୍ଶିକାର କଡ଼ା ଅନୁପାଳନ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକ ଏବଂ ନିରୀକ୍ଷଣ ଅଧିକାରୀମାନଙ୍କୁ ମଧ୍ୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବିଦ୍ୟାର୍ଥୀ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟଜନିତ ସମସ୍ୟା ସମ୍ବନ୍ଧରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।
