ପତି-ପତ୍ନୀ ହିଂସା କ୍ଷେତ୍ରରେ ଦଶମ ସ୍ଥାନରେ ଓଡ଼ିଶା
କିଶୋରୀ ମାତୃତ୍ୱ ଓ ରକ୍ତ ସମ୍ପର୍କ ବିବାହ କ୍ଷେତ୍ରରେ ବି ଓଡ଼ିଶାର ସ୍ଥିତି ଉଦ୍ବେଗଜନକ
ଭୁବନେଶ୍ୱର : ସ୍ୱାମୀଙ୍କ ପ୍ରତାରଣା ଠାରୁ ଆରମ୍ଭ କରି ପତି-ପତ୍ନୀ ହିଂସା, କିଶୋରୀ ମାତୃତ୍ୱ ଓ ରକ୍ତ ସମ୍ପର୍କ ବିବାହ କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଉଦ୍ବେଗଜନକ । ସଦ୍ୟ ପ୍ରକାଶିତ ନ୍ୟାସନାଲ ଫାମିଲି ହେଲଥ୍ ସର୍ଭେ (ଏନଏଫଏଚଏସ-୫)ରୁ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ମହିଳା ଓ ଶିଶୁଙ୍କ ସୁରକ୍ଷା ଲାଗି ଅନେକ ଯୋଜନା ସହ ଅନେକ କାର୍ଯ୍ୟକ୍ରମ ହେଉଛି। ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି । ତଥାପି ଏଭଳି ଘଟଣା ଘଟୁଥିବାରୁ ଆଇନର କାର୍ଯ୍ୟକାରିତାରେ କେଉଁଠି ରହୁଛି ତ୍ରୁଟି, ତାକୁ ନେଇ ଉଠିଛି ପ୍ରଶ୍ନ।
ଏନଏଫଏଚଏସ-୫ର ତଥ୍ୟ ଅନୁସାରେ, ଓଡ଼ିଶାରେ ପ୍ରାୟ ୩୩% ମହିଳା ସେମାନଙ୍କ ସ୍ୱାମୀଙ୍କ ଦ୍ୱାରା ଘରୋଇ ହିଂସାର ଶିକାର ହେଉଛନ୍ତି। ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୧୮ ଥିବା ସତ୍ତ୍ୱେ ୭.୫% କିଶୋରୀ ମାତୃତ୍ୱ ଲାଭ କରୁଛନ୍ତି । ସେହିପରି ୧୮ରୁ ୪୯ ବର୍ଷ ବୟସର ପ୍ରତି ୩ ବିବାହିତା ମହିଳାଙ୍କ ମଧ୍ୟରୁ ଜଣେ ଅର୍ଥାତ୍ ୩୩% ଘରୋଇ ହିଂସାର ଶିକାର ହେଉଛନ୍ତି । ପତି-ପତ୍ନୀ ହିଂସା କ୍ଷେତ୍ରରେ ଦଶମ ସ୍ଥାନରେ ରହିଛି ଓଡ଼ିଶା । ରାଜ୍ୟର ଦମ୍ପତି ହିଂସାକାଣ୍ଡ ହାର ଜାତୀୟ ହାର ୩୨%ଠୁ ଅଧିକ । କିଶୋରୀ ମାତୃତ୍ୱ ଓ ରକ୍ତ ସମ୍ପର୍କ ବିବାହ କ୍ଷେତ୍ରରେ ବି ଓଡ଼ିଶାର ସ୍ଥିତି ଉଦ୍ବେଗଜନକ। ସର୍ଭେ ଅନୁସାରେ ୧୫ରୁ ୪୯ ବର୍ଷ ବୟସ ବର୍ଗରେ ୧୩% ମହିଳା ସେମାନଙ୍କ ରକ୍ତ ସମ୍ପର୍କୀୟଙ୍କୁ ବିବାହ କରୁଛନ୍ତି। ଏକ୍ଷେତ୍ରରେ ଜାତୀୟ ହାର ୧୧% ଥିବାବେଳେ ତାମିଲନାଡ଼ୁରେ ସର୍ବାଧିକ ୨୮% ମହିଳା ରକ୍ତ ସମ୍ପର୍କୀୟଙ୍କୁ ବିବାହ କରୁଥିବା ଜଣାପଡ଼ିଛି । କିଶୋରୀ ମାତୃତ୍ୱ କ୍ଷେତ୍ରରେ ନବମ ସ୍ଥାନରେ ରହିଛି ଓଡ଼ିଶା । ୨୦୧୯-୨୧ ମଧ୍ୟରେ ରାଜ୍ୟର ୧୫ରୁ ୧୯ ବର୍ଷ ବୟସ ବର୍ଗର ୭.୫% କିଶୋରୀ ମାତୃତ୍ୱ ଲାଭ କରିଛନ୍ତି ।
