ମନରେଗା ରାଶି ଖର୍ଚ୍ଚ କରିବାରେ ଦେଶର ୫ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା
ଭୁବନେଶ୍ୱର : ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଭାବେ ସାରା ଦେଶରେ ପରିଚିତ। ଗରିବ ଲୋକଙ୍କ ସମସ୍ୟାକୁ ସେ ବେଶ ଗୁରୁତ୍ୱର ସହ ବିଚାର କରିଥାନ୍ତି। ଯାହାର ଆଉ ଏକ ପ୍ରମାଣ ମିଳିଛି। ମନରେଗା ପାଇଁ ଅଧିକା ରାଶି ଖର୍ଚ୍ଚ କରି, ଗରିବଙ୍କୁ ମହାମାରୀର ଅଭାବି ସମୟରେ ରୋଜଗାର ଯୋଗାଇ ନବୀନ ପୁଣିଥରେ ନିଜର ଉଚ୍ଚତାର ପରିଚୟ ଦେଇଛନ୍ତି।
କରୋନା ମାହାମାରୀ ସକାଶେ ୨୦୨୦ରେ ଲାଗୁ ହୋଇଥିବା ପ୍ରଥମ ଲକଡାଉନ ଯୋଗୁଁ ପ୍ରବାସୀ ଶ୍ରମିକମାନେ ନିଜ ନିଜ ରାଜ୍ୟକୁ ଫେରିବା ଆରମ୍ଭ କରିଥିଲେ । ନିଜ ରାଜ୍ୟରେ ରୋଜଗାରର ମାଧ୍ୟମ ଖୋଜିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଥିଲା । ଏପରିସ୍ଥଳେ ବିଭିନ୍ନ ରାଜ୍ୟର ସରକାରମାନେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ମନରେଗା)ରେ ଅଧିକା ଅର୍ଥ ଖର୍ଚ୍ଚକରି ପ୍ରବାସୀଙ୍କ ସମେତ ଗ୍ରାମାଞ୍ଚଳର ବହୁ ଲୋକଙ୍କୁ କାମ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନ ସକାଶେ ଓଡ଼ିଶା ମଧ୍ୟ ଏ ଦିଗରେ ଅଗ୍ରଣୀ ରାଜ୍ୟ ରହିଥିଲା । ପୂର୍ବ ବର୍ଷ ତୁଳନାରେ ୨୦୨୧ରେ ମନରେଗାରେ ଅଧିକା ଅର୍ଥ ଖର୍ଚ୍ଚ କରିଥିବା ଦେଶର ୫ ପ୍ରମୁଖ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରହିଛି ।
ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟ ମୁତାବକ କରୋନାର ପୂର୍ବ ବର୍ଷ ତୁଳନାରେ ମହାମାରୀ ବେଳେ ମନରେଗାରେ ଅଧିକା ଖର୍ଚ୍ଚ କରିଥିବା ପଶ୍ଚିମବଙ୍ଗ, ତାମିଲନାଡ଼ୁ, ମଧ୍ୟପ୍ରଦେଶ, ବିହାର ସହ ଓଡ଼ିଶା ଟପ୍ ୫ ରାଜ୍ୟ ତାଲିକାରେ ରହିଛି । ଓଡ଼ିଶା ସରକାର ୨୦୨୧ରେ ମନରେଗାରେ ମୋଟ ୫,୩୭୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ୨୦୧୯-୨୦ ବର୍ଷ ସହ ତୁଳନା କଲେ ସେତେବେଳେ ରାଜ୍ୟ ସରକାର ମୋଟ ୨,୮୩୬ କୋଟି ଖର୍ଚ୍ଚ କରିଥିଲେ । ସେହିଭଳି ବିହାର ସରକାରଙ୍କ କଥା କହିଲେ ୨୦୨୧ରେ ବିହାର ମନରେଗାରେ ୫,୭୭୧ କୋଟି ଟଙ୍କା ଖର୍ଚ୍ଚ କରିଛି । ମହାମାରୀ ପୂର୍ବ ବର୍ଷରେ ବିହାର ସରକାହର ଏ ବାବଦକୁ ଖର୍ଚ୍ଚ କରିଥିଲେ ୩,୩୭୧ କୋଟି । ସେହିଭଳି ମଧ୍ୟପ୍ରଦେଶ ସରକାର ୨୦୨୧ରେ ୭,୩୫୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ପୂର୍ବ ବର୍ଷରେ ଖର୍ଚ୍ଚ ପରିମାଣ ଥିଲା ୪,୯୪୯ କୋଟି । ପଶ୍ଚିମବଙ୍ଗ ସରକାର ୨୦୨୧ରେ ୧୦,୧୧୮ କୋଟି ଟଙ୍କା ମନରେଗା ବାବଦକୁ ଖର୍ଚ୍ଚ କରିଥିବା ବେଳେ ତାମିଲନାଡ଼ୁ ସରକାର ଖର୍ଚ୍ଚ କରିଛନ୍ତି ୮,୯୬୧ କୋଟି । ଦୁଇ ରାଜ୍ୟର ପୂର୍ବ ବର୍ଷ ଖର୍ଚ୍ଚ ଥିଲା ଯଥାକ୍ରମେ ୭,୪୮୦ କୋଟି ଏବଂ ୫,୬୨୧ କୋଟି । ପ୍ରକାଶ ଯେ ବର୍ଷ ୨୦୨୧ ପାଇଁ କେନ୍ଦ୍ର ସରକାର ପ୍ରତି ଗ୍ରାମାଞ୍ଚଳ ପରିବାରକୁ ୧୦୦ ଦିନ ନିଶ୍ଚିତ କର୍ମନିଯୁକ୍ତି ପାଇଁ ମନରେଗାରେ ୭୩ ହଜାର କୋଟି ଟଙ୍କାର ବ୍ୟବସ୍ଥା କରିଥିଲେ । ତେବେ ବର୍ଷ ଶେଷ ସୁଦ୍ଧା ଅତିରିକ୍ତ ବଜେଟ୍ ମିଶିକରି ଖର୍ଚ୍ଚ ହୋଇଥିଲା ମୋଟ ୯୪ ହଜାର ୯୯୪ କୋଟି ।
