ରାଜ୍ୟରେ ତୃତୀୟ ଲହର ଚାଲିଛି, ଭୟଭୀତ ହେବାର ଆବଶ୍ୟକତା ନାହିଁ : ମୁଖ୍ୟ ଶାସନ ସଚିବ
ରାଜ୍ୟରେ ଶଟଡାଉନ୍ ଲାଗୁ କରିବା ପରିସ୍ଥିତି ଆସିନି
ହସ୍ପିିଟାଲ ଗୁୁଡ଼ିକରେ ୯୦ ପ୍ରତିଶତ ଶଯ୍ୟା ଖାଲି ରହିଛି
ଭୁବନେଶ୍ୱର : ରାଜ୍ୟରେ କୋଭିଡ୍ର ତୃତୀୟ ଲହର ଚାଲିଛି । ଭୟଭୀତ ହୁଅନ୍ତୁ ନାହିଁ ସତର୍କ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଜୀବନ ଏବଂ ଜୀବିକା ଉଭୟକୁ ପ୍ରାଧାନ୍ୟତା ଦେଉଛନ୍ତି । ଏଥିପାଇଁ ଲକ୍ ଡାଉନ୍ କରାଯାଇ ନାହିଁ ବୋଲି ସେ ସୂଚନା ଦେଇଛନ୍ତି । ଓମିକ୍ରନ ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇଛି । ମାତ୍ର ଲୋକମାନେ ସେତେ ଗୁରୁତର ହେଉ ନାହାନ୍ତି । ମାତ୍ର ଦୁଇ ପ୍ରତିଶତଙ୍କର ଅକ୍ସିଜେନ୍ ଏବଂ ଡାକ୍ତରଖାନାରେ ଭର୍ତି ପାଇଁ ଦରକାର ହେଉଛି । ଏହାକୁ ଲୋକମାନେ ହାଲକାରେ ନିଅନ୍ତୁ ନାହିଁ । ସବୁ ସ୍ଥାନରେ କୋଭିଡ୍ ମାର୍ଗ ଦର୍ଶିକା ମାନନ୍ତୁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ମାସ୍କ ପିନ୍ଧିବା ଏବଂ ଅନ୍ୟ କୋଭିଡ୍ କଟକଣାକୁ କଡାକଡି ଭାବେ ମାନିଲେ କୋଭିଡ୍କୁ ପ୍ରତିହତ ହେବ । ରାଜ୍ୟ ସରକାର ଜୀବିକାର ସୁରକ୍ଷା ପାଇଁ ଲକ୍ଡାଉନ୍ କରି ନାହାନ୍ତି । ଲକ୍ଷଣ ଦେଖାଦେବା ମାତ୍ରେ ସମସ୍ତେ କୋଭିଡ୍ ପରୀକ୍ଷଣ କରିବା ପାଇଁ ସୂଚନା ଦେଇଛନ୍ତି । ଏବେ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯାଉଛି । ତୃତୀୟ ଲହର ନିୟନ୍ତ୍ରଣ ରହିଛି ବୋଲି ସେ କହିଛନ୍ତି ।
ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ବୁଧବାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମାଇକ୍ରୋ କେଂଟନମେଂଟ ଜୋନ୍ ସାଧାରଣ ଲୋକଙ୍କ ଜୀବିକାକୁ ପ୍ରଭାବିତ କରିବ ନାହିଁ । ତୃତୀୟ ଲହରୀରେ ଲୋକଙ୍କ ଜୀବିକାକୁ ସୁରକ୍ଷିତ ରଖିବାକୁ ପ୍ରୟାସ କରାଯାଉଛି । ତେଣୁ ସାଧାରଣ ଲକଡାଉନ୍ କିମ୍ବା ଶଟଡାଉନ୍ ଲାଗୁ କରାଯିବ ନାହିଁ । ଲୋକଙ୍କୁ ଘରୁ ବାହାରିବାବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ମାନିବାକୁ ସେ ପରାମର୍ଶ ଦେବା ସହ କୋଭିଡ୍ ପରିସ୍ଥିତି ଦୃଷ୍ଟିରୁ ଆଗାମୀ କିଛିଦିନ ଓଡ଼ିଶା ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି । ଦ୍ୱିତୀୟ ଲହରୀରେ ୧୦ ପ୍ରତିଶତ କୋଭିଡ୍ ରୋଗୀ ହସ୍ପିଟାଲରେ ଭର୍ତି ହୋଇଥିବାବେଳେ ଏବେ ମାତ୍ର ୨ ପ୍ରତିଶତ ରୋଗୀ ହସ୍ପିଟାଲ ଯାଉଛନ୍ତି । ସମସ୍ତଙ୍କର ସହଯୋଗ ଯୋଗୁ ମହାମାରୀ ପରିସ୍ଥିତିକୁ ମୁକାବିଲା କରିବାରେ ଏପର୍ଯ୍ୟନ୍ତ ଓଡ଼ିଶା ସକ୍ଷମ ହୋଇଛି । ବୟସ୍କ ଲୋକ, ଗର୍ଭବତୀ ଓ ଛୋଟ ପିଲାମାନେ ଯେଭଳି ସଂକ୍ରମିତ ନହେବେ ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ୍ । ଯଦି କୌଣସି ଲକ୍ଷଣ ଦେଖାଯାଉଛି ତୁରନ୍ତ କୋଭିଡ୍ ପରୀକ୍ଷା କରାଇବାକୁ ସେ ପରାମର୍ଶ ଦେଇଛନ୍ତି । ଔଷଧ ମାଗଣାରେ ଯୋଗାଇ ଦିଆଯାଉଛି ଓ ଡାକ୍ତରଙ୍କ ପରାମର୍ଶରେ ଏହା ସେବନ କରିବାକୁ ସେ କହିଛନ୍ତି । ରାଜ୍ୟରେ ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ ୧୧ହଜାର ମଧ୍ୟରେ ରହୁଥିଲେ ମଧ୍ୟ ଲୋକେ ଭୟଭୀତ ନହୋଇ କୋଭିଡ୍ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର କହିଛନ୍ତି ଯେ, ଏବେ ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ଉପରେ ରହୁଛି । ସଂକ୍ରମଣ ହାର ଅଧିକ ରହିଥିବାରୁ କରୋନା ଭାଇରସର ଆର-ଭ୍ୟାଲୁ ମଧ୍ୟ ବୃଦ୍ଧି ପାଇଛି । ସଂକ୍ରମଣ ଚିନ୍ତାଜନକ ଭାବେ ବ୍ୟାପୁଥିଲେ ମଧ୍ୟ ଏବେ ରାଜ୍ୟରେ ଲକଡାଉନ୍ କିମ୍ବା ଶଟଡାଉନ୍ ଲାଗୁ କରିବାର ଆବଶ୍ୟକତା ପଡ଼ିନି । ଗୋଟିଏ ଲେଖାଏଁ ଅଂଚଳରେ ଏହି ଭାଇରସ୍ କିଭଳି ଦ୍ରୁତ ଗତିରେ ବ୍ୟାପୁଛି ତାହା ଆର-ଭ୍ୟାଲୁରୁ ଜଣାପଡ଼ୁଛି । ଯଦି କିଛି ଲକ୍ଷଣ ଦେଖାଦେଉଛି, ତା’ହେଲେ କୋଭିଡ୍ ପରୀକ୍ଷା କରାଇ ନେବା ଉଚିତ୍ । ଲୋକେ ବର୍ତମାନର ପରିସ୍ଥିତି ପାଇଁ ଭୟଭୀତ ହେବା ଅନୁଚିତ୍ । ରାଜ୍ୟ ସରକାର ଅଧିକ ସଂଖ୍ୟକ କୋଭିଡ୍ ପରୀକ୍ଷା କେନ୍ଦ୍ର ଓ ଦୈନିକ କୋଭିଡ୍ ପରୀକ୍ଷା ପରିମାଣ ବଢ଼ାଇବାକୁ ଯୋଜନା କରୁଛନ୍ତି । କେନ୍ଦ୍ର ସରକାରଙ୍କ ପରାମର୍ଶରେ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି । ସୂଚନା ଯେ, ବୁଧବାର ରାଜ୍ୟରେ ୧୧୬୦୭ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିରେ ୦ରୁ ୧୮ବର୍ଷ ବୟସର ୯୯୧ଜଣ ଅଛନ୍ତି । ସେହିପରି ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୪୭ରେ ପହଂଚିଛି । ବୁଧବାର ଗୋଟିଏ ଦିଗରେ ମୋଟ ୧୪୭ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜାନୁୟାରୀ ୧୨ତାରିଖରେ ୬୭ଜଣ, ୧୫ରେ ୩୨ଜଣ ଓମିକ୍ରନ ସଂକ୍ରମିତ ଥିବାବେଳେ ଆଜି ୧୪୭ଜଣ ଚିହ୍ନଟ ହୋଇଛନ୍ତି । ଡିସେମ୍ବର ୨୧ତାରିଖରେ ଓଡ଼ିଶାରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
