ଅଧିକ ସାମ୍ପଲର ଜେନମ ସିକ୍ୱେନ୍ସିଂରେ ଓଡ଼ିଶା ଦେଶରେ ୪ ନମ୍ବର
- ଟୀକା ନେଲା ପରେ ବି ୨୦%ଙ୍କ ପାଖରେ ସୃଷ୍ଟି ହେଉନି ଆଣ୍ଟିବଡି
- ଡବଲ ଡୋଜ ପରେ ବୁଷ୍ଟର ଡ଼ୋଜ୍ ଦିଆଯିବ ନେଇ ଚାଲିଛି ଅନୁଧ୍ୟାନ : ଆଇଏଲଏସ୍ ନିର୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଉଛି । ଇତିମଧ୍ୟରେ ଟିକାକରଣ ଅଢ଼େଇ କୋଟି ଟପି ଏକ ମାଇଲଖୁଣ୍ଟ ଅତିକ୍ରମ କରିସାରିଛି । ହେଲେ ଡବଲ୍ ଡୋଜ୍ ଟିକା ନେବା ପରେ ମଧ୍ୟ ୨୦% ଲୋକଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହେଉନଥିବାର ଆଇଏଲଏସ୍ ନିର୍ଦେଶକ ଡ. ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ଡବଲ ଡୋଜ ପରେ ବୁଷ୍ଟର କି ତୃତୀୟ ଡୋଜ ଦେବା ନେଇ ଅନୁଧ୍ୟାନ ଚାଲିଛି। ତେବେ ସମାନ କମ୍ପାନିର କିମ୍ବା ଅନ୍ୟ କମ୍ପାନିର ଡୋଜ ଦିଆଯିବ, ଏହାକୁ ନେଇ ବିଶ୍ଳେଷଣ କରାଯାଉଛି। ଖୁବଶୀଘ୍ର ଭାରତ ସରକାର ଏ ସମ୍ପର୍କରେ ଘୋଷଣା କରିବେ।
ସେହିପରି ଅଗଷ୍ଟରୁ ସେପ୍ଟେମ୍ବର ପ୍ରଥମ ସପ୍ତାହ ଭିତରେ ରାଜ୍ୟର ୬ଶହ ସାମ୍ପଲକୁ ଜେନମ ସିକ୍ୱେନ୍ସିଂ କରାଯାଇଥିଲାସେଥିରୁ ୪୨୫ ଡେ଼ଲ୍ଟା ଭାରିଏଣ୍ଟ ବାହାରିଥିଲା, ବାକି ସାମ୍ପଲ ଅନ୍ୟ ଭାରିଏଣ୍ଟର। ତେବେ କୌଣସି ନୂଆ ମ୍ୟୁଟେସନ ଚିହ୍ନଟ ହୋଇନି। ଅଧିକ ସାମ୍ପଲର ଜେନମ ସିକ୍ୱେନ୍ସିଂରେ ଓଡ଼ିଶା ଦେଶରେ ୪ ନମ୍ବର। ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୬ ହଜାର ସମ୍ପଲ ଜେନାମ ସିକ୍ୱେନ୍ସିଂ ହୋଇଛି। ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢାଇପାରେ। କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ। ଏଣୁ ନୂଆଖାଇ ଠାରୁ କାଳୀପୂଜା ଯାଏ ଆମକୁ ଜଗିରଖି ଚଳିବାକୁ ହେବ। ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି। ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି। ତା ଅର୍ଥ ନୁହେଁ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛନ୍ତି। ପାର୍ବଣରେ ସତର୍କ ରହିବାକୁ ପଡ଼ିବ। ଏବେର ପରିସ୍ଥିତିକୁ ଦେଖିଲେ କେରଳ ଏବଂ ଉତ୍ତର ପୂର୍ବରୁ ୮୦ ପ୍ରତିଶତ କେସ ଆସୁଛି। ମହାରାଷ୍ଟ୍ରରେ ଟିକେ ବଢିଛି। ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଭଲରେ ଚାଲିଛି। ୧୮ ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ। ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ଅଧିକ ଗହଳି ରହୁଛି। ଅଧିକ ଲୋକଙ୍କ ସମାଗମ ହେଉଛି, ଯେଉଁଥିପାଇଁ ପଜିଟିଭ ସଂଖ୍ୟା ସାମାନ୍ୟ ଅଧିକ ରହୁଛି । ତେବେ ପୂର୍ବରୁ ଏଠାରେ ଦୈନିକ ସଂକ୍ରମଣ ୧ ହଜାର ଉପରେ ଥିଲା। ଏବେ ୨୦୦ରୁ ୩୦୦ ଭିତରେ ରହୁଛି। ହଜାରରୁ ୩୦୦କୁ କମ ସମୟରେ ଖସିଥାଏ। କିନ୍ତୁ ୩୦୦ରୁ କମ୍ ହେବାକୁ ଅଧିକ ସମୟ ଲାଗେ। ଦିଲ୍ଲୀରେ ବି ଏଭଳି ସ୍ଥିତି ରହିଥିଲା। ଭୁବନେଶ୍ୱରରେ ଆଉ ୧୦ରୁ ୧୫ ଦିନରେ ସଂକ୍ରମଣ କମିଯିବ ବୋଲି ଆଶା କରାଯାଉଛି।
