ରାଜ୍ୟରେ ଧୃତରାଷ୍ଟ୍ର ସରକାର ଚାଲିଛି : ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର : ଆତ୍ମ ପ୍ରଚାରରେ ବ୍ୟସ୍ତ ରାଜ୍ୟ ସରକାର ଆଖିରେ ଅନ୍ଧ ପୁଟୁଳି ବାନ୍ଧିଛି । ଏଠାରେ ଧୃତରାଷ୍ଟ୍ର ସରକାର ଚାଲିଛି । ସବୁ ଜାଣି ମଧ୍ୟ ନିଜ ସ୍ୱାର୍ଥ ପାଇଁ ଲୋକ କଲ୍ୟାଣକୁ ବଳି ପକାଇବାକୁ ପଛାଉନାହାନ୍ତି ବୋଲି ଗୁରୁବାର ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତା ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ କଳା ଓ ସଂସ୍କୃତିର ଭୂମି ଓଡ଼ିଶାକୁ ସ୍ୱାଗତ ଜଣାଇବା ସହ ତାଙ୍କର ପ୍ରେରଣାଦାୟୀ ଅଭିଭାଷଣ ଦଳର କାର୍ଯ୍ୟକର୍ତାଙ୍କୁ ନୂଆ ଉତ୍ସାହ ଦେବା ସହ ସେମାନଙ୍କର ମନୋବଳ ବଢ଼ାଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶା ଦାୟିତ୍ୱରେ ଯେଉଁମାନେ ଅଛନ୍ତି ଆଜି ସେମାନେ ଏକଚାଟିଆ ମନୋବୃତି ଚଲାଉଛନ୍ତି । ମୋଦି ସରକାରଙ୍କ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି । ଘର ସରକାର ଦାୟିତ୍ୱରେ ଥିବା ଲୋକଙ୍କ ଦଳୀୟ ଲୋକଙ୍କ ପାଖକୁ ଯାଉଛି । ସ୍ୱର ଉଠାଇବାରୁ ମାହାଙ୍ଗାର ଶକ୍ତିକେନ୍ଦ୍ର ସ୍ତରର କାର୍ଯ୍ୟକର୍ତା କୁଳମଣି ବରାଳଙ୍କ ହତ୍ୟା କରାଗଲା । ମନରେଗାରେ ଦୁର୍ନୀତି ଚରମ ସୀମାରେ ପହଂଚିଛି । ରାଜ୍ୟ ଜନସଂଖ୍ୟାର ପ୍ରାୟ ଏକ କୋଟି ଲୋକ ଯୁବକ ଯୁବତୀ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି ।
ମହିଳା ପ୍ରଗତିର ଡିଣ୍ଡିମ ପିଟୁଥିବା ସରକାରରେ ଆଜି ମହିଳା ମାନଙ୍କ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ କମ ।ଖଣିଜ ସମ୍ପଦ ଥିବା ସତ୍ୱେ ଓଡ଼ିଶା ଦରିଦ୍ର କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଆ ଭାଷା, ଓଡ଼ିଆ ସ୍ୱାଭିମାନ, ଉତ୍କଳୀୟ ପରମ୍ପରା, ବଡ଼ ଦେଉଳ ଓ ବଡ଼ ଠାକୁରଙ୍କ ପ୍ରଦେଶ ହେଉଛି ଓଡ଼ିଶା । ଏହି ପ୍ରଦେଶକୁ ଆଜି ଏକବିଂଶ ଶତାବ୍ଦୀରେ ନୂଆ ଉତ୍ସାହର ସହ ପୃଥିବୀ ବକ୍ଷରେ ସ୍ଥାପିତ କରିବାର ସମୟ ଆସିଛି । ସ୍ୱର୍ଣ୍ଣଗର୍ଭା ଓଡ଼ିଶା ପାଇଁ ମୋଦି ସରକାରଙ୍କ ନୀତି ସଂସ୍କାର ତଥା ଡିଏମଏଫ ପାଣ୍ଠି କାରଣରୁ ପୁଞ୍ଜିପତି ନୁହେଁ ବରଂ ଜନଜାତି ଅଧ୍ୟୁଷିତ ଅଞ୍ଚଳର ଲୋକମାନେ ଖଣିଜ ସମ୍ପଦର ଲାଭ ପାଉଛନ୍ତି ।
ଭାରତୀୟ ଜନତା ପାର୍ଟି ଏକ କାର୍ଯ୍ୟକର୍ତା ଆଧାରିତ ଦଳ । ପ୍ରଜାତନ୍ତ୍ରରେ ରାଜନୈତିକ ଦଳର କାମ ହେଉଛି ଲୋକଙ୍କ ପାଖକୁ ଯିବା ଏବଂ ସେମାନଙ୍କ ସମସ୍ୟାର ବିତର୍କ କରାଇବା । ଲୋକଙ୍କ ସ୍ୱାର୍ଥ ଓ ଦଳର ସଂଗଠନକୁ ମଜଭୂତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତାକୁ ସବୁ ଘରେ ପହଞ୍ଚାଇବା ପାଇଁ ଏହି ତ୍ରିଦେବ ସମ୍ମିଳନୀ ହେଉଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ଆମ ଦେଶକୁ ବିକଶିତ କରିବା ପାଇଁ ପ୍ରଥମେ ଓଡ଼ିଶାକୁ ବିକଶିତ କରିବାକୁ ହେବ । ଏଥିପାଇଁ ରାଜ୍ୟର ୩୬ ହଜାର ବୁଥରେ ବିଜେପିକୁ ମଜଭୂତ୍ କରିବାକୁ ପଡ଼ିବ ।
