ରାଜ୍ୟରେ କୋରୋନା ସ୍ଥିତି ସଙ୍ଗୀନ, ବଢ଼ିଲା ୟେଲୋ ଜୋନ୍
ଭୁବନେଶ୍ୱର: ରାଜ୍ୟର କୋରୋନା ଗ୍ରାଫରେ ଲାଗୁନି ଲଗାମ। ପ୍ରଥମ ଲହରର ପିକ ଅତିକ୍ରମ କଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ହଜାରେରୁ ଅଧିକ ମାମଲା ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ସାଙ୍ଘାତିକ ହେଉଥିବା ବେଳେ ୟୋଲୋ ଜୋନ ସଂଖ୍ୟା ତିନିକୁ ବଢିଛି।
ରାଜ୍ୟରେ ଗତ ୨୦୨୦ ସେପ୍ଟେମ୍ବରରେ କୋରୋନାର ପ୍ରଥମ ଲହର ପିକରେ ଥିଲା। ସେପ୍ଟେମ୍ବର ୨୫ରେ ୪୩୫୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ରବିବାର ସେହି ରେକର୍ଡ ଭାଙ୍ଗିଛି। ରାଜ୍ୟରେ ଦିନକରେ ୪୭୧୪ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୨୭୫୫, ଲୋକାଲ୍ କେସ୍ ୧୯୫୯ ବାହାରିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୪୧୬ ଜଣ ଅଛନ୍ତି। ଏହାପରେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯କୁ ବୃଦ୍ଧି ପାଇଛି। ପୂର୍ବପରି ଖୋର୍ଦ୍ଧାରେ ସର୍ବାଧତ୍କ ୧୬୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରେଡ୍ ଜୋନରେ ଖୋର୍ଦ୍ଧା ଥିବା ବେଳେ ସୁନ୍ଦରଗଡ଼, ସମ୍ବଲପୁର ଓ କଟକ ଜିଲ୍ଲା ୟେଲୋ ଜୋନରେ ପ୍ରବେଶ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୧୧.୯%, ସମ୍ବଲପୁରରେ ୧୦.୯% ଓ ସୁନ୍ଦରଗଡରେ ୧୦.୬% ସଂକ୍ରମଣ ହାର ରହିଛି। ସେପଟେ ଓଡ଼ିଶାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୫କୁ ବୃଦ୍ଧି ପାଇଛି। ଶନିବାର ଚିହ୍ନଟ ହୋଇଥିବା ୧୪ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ସ୍ଥାନୀୟ ବାସିନ୍ଦା ବୋଲି କୁହାଯାଉଛି।
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ସବୁ ରାଜ୍ୟରେ ସଂକ୍ରମଣ ବଢୁଛି, ଓଡ଼ିଶାରେ ମଧ୍ୟ ବଢୁଛି। ପ୍ଲାଟୋ ଷ୍ଟେଜକୁ ନଆସିବା ଯାଏଁ ସଂକ୍ରମଣ କେବେ କମିବ କହିହେବନାହିଁ। କଟକଣା ଜାରି କରାଯାଇଛି, ସମସ୍ତେ କୋଭିଡ୍ ନିୟମ ମାନନ୍ତୁ। ସୋମବାର ଠାରୁ ପ୍ରିକସନ୍ ଡୋଜ୍ ଟିକାକରଣ ଆରମ୍ଭ ହେବ। ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ କୋରୋନା ମୁକାବିଲା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ସୂଚନା ଯେ , ଦେଶରେ ଏଯାବତ୍ ୩,୬୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ର ୧୦୦୯, ଦିଲ୍ଲୀ ୫୧୩, କର୍ଣ୍ଣାଟକ ୪୪୧, ରାଜସ୍ଥାନ ୩୭୩, କେରଳ ୩୩୩, ଗୁଜରାଟ ୨୦୪, ତାମିଲନାଡୁ ୧୮୫, ହରିୟାଣା ଓ ତେଲେଙ୍ଗାନାରୁ ୧୨୩ ଲେଖାଏଁ ପାଜିଟିଭ୍ ବାହାରିଛନ୍ତି। ଦେଶରେ ୨୪ ଘଣ୍ଟାରେ ୧ ଲକ୍ଷ ୫୯ ହଜାର ୬୩୨ ଜଣ ପଜିଟିଭ୍ ହୋଇଥିବା ବେଳେ ୩୨୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦୈନିକ ପଜିଟିଭିଟି ହାର ୧୦.୨୧% ଓ ମୃତ୍ୟୁସଂଖ୍ୟା ୪ ଲକ୍ଷ ୮୩ ହଜାର ୭୯୦କୁ ବୃଦ୍ଧି ପାଇଛି।
