ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବିଫଳ, ଗୃହରେ ଅଚଳାବସ୍ଥା ଜାରି
ଭୁବନେଶ୍ବର : ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସର୍ବଦଳୀୟ ବୈଠକ ପରେ ବି ବିରୋଧୀ ଦଳମାନେ ଗୃହରେ ହଟ୍ଟଗୋଳ ଜାରି ରଖିଛନ୍ତି। ସୋମବାର ଗୃହ ମାତ୍ର ୮ ମିନିଟ୍ ଚାଲିବା ପରେ ବାଚସ୍ପତି ଗୃହକୁ ମଙ୍ଗଳବାର ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି।
ଏହି ହଟ୍ଟଗୋଳ ମଧ୍ୟରେ ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକ ମୋହନ ମାଝି ପଚାରିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି। ନିଜ ଲିଖିତ ଉତ୍ତରରେ ଦିବ୍ୟଶଙ୍କର କହିଛନ୍ତି ଯେ ମାମଲାଟି ତଦନ୍ତାଧୀନ ଅଛି । ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ହାଇକୋର୍ଟଙ୍କ ପୂର୍ବତନ ଜିଲ୍ଲା ଜଜ୍ ଏବିଏସ ନାଇଡୁଙ୍କୁ ତଦନ୍ତ ତଦାରଖ ପାଇଁ ମନୋନୀତ କରିଛନ୍ତି। ନିଜ ପ୍ରଶ୍ନରେ ବିଧାୟକ ମାଝି ପଚାରିଥିଲେ ଯେ ହତ୍ୟାର ମାସକ ପୂର୍ବରୁ କେଉଁ ଭିଆଇପି କେଉଁ ଉଦ୍ଦେଶ୍ୟରେ କଲେଜକୁ ଯାଇଥିଲେ ? କେହି କଲେଜରେ ରାତି ବିତେଇଥିଲେ କି ? ହତ୍ୟା ଓ ଯୌନ କେଳେଙ୍କାରୀ ମଧ୍ୟରେ କିଛି ସମ୍ପର୍କ ରହିଛି କି ? ହତ୍ୟା ଘଟଣାର ମୋଟିଭ କଣ? ଯୌନ ବ୍ୟଭିଚାରକୁ ମୋଟିଭ ଭାବେ ଗ୍ରହଣ କରି ତଦନ୍ତ ଚାଲିଛି କି ବୋଲି ବିଧାୟକ ମାଝି ପଚାରିଛନ୍ତି।
