ରାଜ୍ୟର ୨୬ଟି ୱେବ୍ସାଇଟ୍କୁ ସାଇବର ଆକ୍ରମଣ ବିପଦ : ଏନ୍ସିଆଇଆଇପିସି
ଭୁବନେଶ୍ବର : ରାଜ୍ୟର ୨୬ଟି ୱେବ୍ସାଇଟ୍କୁ ସାଇବର ଆକ୍ରମଣ ବିପଦ ରହିଛି। ଏସବୁ ୱେବସାଇଟ୍ରେ ସମ୍ବେଦନଶୀଳତା ବା ଭନରେବିଲିଟି ଚିହ୍ନଟ ହୋଇଛି। ତେଣୁ କେହି ଜଣେ ଅଜଣା ବ୍ୟକ୍ତି ଏସବୁ ୱେବସାଇଟ୍କୁ ଯାଇ କିଛି ବି ପରିବର୍ତ୍ତନ କିମ୍ବା ତଥ୍ୟ ଚୋରି କରିପାରେ। ଜାତୀୟ ବୈଷୟିକ ଗବେଷଣା ସଂସ୍ଥା(ଏନ୍ଟିଆରଓ) ଅଧୀନରେ ଥିବା ଜାତୀୟ କ୍ରିଟିକାଲ ସୂଚନା ଭିତ୍ତିଭୂମି ସୁରକ୍ଷା କେନ୍ଦ୍ର ବା ଏନ୍ସିଆଇଆଇପିସି ପକ୍ଷରୁ ରାଜ୍ୟ ସରକାରଙ୍କୁ ଏହି ସୂଚନା ଦିଆଯାଇଛି। ଏସବୁ ୱେବସାଇଟ୍ରେ ରହିଥିବା ସମ୍ବେଦନଶୀଳତାର ସମାଧାନ ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ତାହା ସମ୍ପର୍କରେ ଜଣାଇବାକୁ ଏନ୍ସିଆଇଆଇପିସି ପକ୍ଷରୁ କୁହାଯାଇଛି।
ସାଇବର ଆକ୍ରମଣ ବିପଦ ରହିଥିବା ୱେବସାଇଟ୍ ମଧ୍ୟରେ ବ୍ରହ୍ମପୁର ନଗର ନିଗମ, ସଂସ୍କୃତି ବିଭାଗ, ରାଜ୍ୟ ମେଧାବୃତ୍ତି ପୋର୍ଟାଲ, ରାଜ୍ୟ ଭିନ୍ନକ୍ଷମ କମିସନର, ହସ୍ତତନ୍ତ ହସ୍ତଶିଳ୍ପ ବିଭାଗ, ଭାରତୀୟ ଅର୍ଥ ବିଭାଗ, ସାମ୍ସ ପୋର୍ଟାଲ ପ୍ରଭୃତି ରହିଛି। ଏସବୁ ୱେବସାଇ୍ଟରେ ଓଟିପି ବାଇପାସ୍, କ୍ଲିକ୍ଜାକିଂ, ଡିରେକ୍ଟୋରି ଟ୍ରାଭେର୍ସାଲ୍, ଏସ୍କ୍ୟୁଏଲ ଇଞ୍ଜେକସନ୍, ଇ-ମେଲ ସ୍ପୁପିଂ, ଭର୍ସନ ଡିସକ୍ଲୋଜର ଭଳି ସମ୍ବେଦନଶୀଳତା ରହିଥିବା ଏନ୍ସିଆଇଆଇପିସି ପକ୍ଷରୁ ଦର୍ଶାଯାଇଛି। ଏନ୍ସିଆଇଆଇପିସିରୁ ଏଭଳି ଚିଠି ପାଇବା ପରେ ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର ବା ଓକାକ୍ ପକ୍ଷରୁ ଉଚ୍ଚଶିକ୍ଷା ବିଭାଗକୁ ରାଜ୍ୟ ମେଧାବୃତ୍ତି ପୋର୍ଟାଲରେ ଏଚ୍ଏସ୍ଟିଏସ୍ ବନ୍ଦ ରହିଥିବା ନେଇ ଚିଠି ଜାରି ହୋଇଛି। ଓକାକ୍ ପକ୍ଷରୁ କୁହାଯାଇଛି ଯେ ମେଧାବୃତ୍ତି ପୋର୍ଟାଲରେ ଯେଉଁ ସମ୍ବେଦନଶୀଳତା ରହିଛି ତାହାକୁ ତୁରନ୍ତ ସମାଧାନ କରିବା ଲାଗି ୱେବସାଇଟ୍ ବିକଶିତ କରିଥିବା ସଂସ୍ଥାକୁ ନିର୍ଦେଶ ଦିଆଯାଉ। ଏହାସହ ସାଇବର ସିକ୍ୟୁରିଟି ଅଡିଟ୍ କରିବା ସହ ‘ସେଫ୍ ଟୁ ହୋଷ୍ଟ’ ସାର୍ଟିଫିକେଟ୍ ନେବା ଜରୁରୀ।
