ଓଡ଼ିଆ ଡାକ୍ତର ବସନ୍ତ ମିଶ୍ର ପାଇବେ ସମ୍ମାନଜନକ ଏଏଏନଏସ ପୁରସ୍କାର
ଭୁବନେଶ୍ୱର : ଓଡ଼ିଆ ଡାକ୍ତର ତଥା ଦେଶର ଜଣାଶୁଣା ନ୍ୟୁରୋସର୍ଜନ (ସ୍ନାୟୁଶଲ୍ୟ ବିଶେଷଜ୍ଞ) ଡଃ ବସନ୍ତ କୁମାର ମିଶ୍ରଙ୍କୁ ଆମେରିକାର ସମ୍ମାନଜନକ ଏଏଏନଏସ (ଆମେରିକାନ ଆସୋସିଏସନ ଫର ନ୍ୟୁରୋଲଜିକାଲ ସର୍ଜନ୍ସ) ପକ୍ଷରୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ଡଃ ମିଶ୍ର ଏବେ ମୁମ୍ବାଇସ୍ଥିତ ପି.ଡି. ହିନ୍ଦୁଜା ହସପିଟାଲ ଏଣ୍ଡ ମେଡିକାଲ ରିସର୍ଚ ସେଣ୍ଟରର ନ୍ୟୁରୋସର୍ଜରୀ ବିଭାଗର ମୁଖ୍ୟ ସର୍ଜନ ଅଛନ୍ତି । ସେ ଓଡ଼ିଶାର ସୁନାମଧନ୍ୟ ଅର୍ଥନୀତିଜ୍ଞ ଡ. ବୈଦ୍ୟନାଥ ମିଶ୍ରଙ୍କ ପୁଅ ।
ଏହି ପୁରସ୍କାର ପାଇବା ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଡ.ମିଶ୍ର କହିଛନ୍ତି ଯେ ଭାରତ ଗତ ଦଶନ୍ଧିରେ ନ୍ୟୁରୋସର୍ଜରୀ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି, ଯାହାକି ବିଶ୍ବର ବିକଶିତ ଦେଶ ହାସଲ କରିଥିବା ସଫଳତା ସହ ସମକକ୍ଷ । ଭାରତରେ ଏବେ ନ୍ୟୁରୋସର୍ଜରୀ କ୍ଷେତ୍ରରେ ଅତ୍ୟାଧୁନିକ ଭିତ୍ତିଭୂମି ସମେତ ଅତ୍ୟାଧୁନିକ ଟେକନଲୋଜୀ ଓ ଦକ୍ଷ ଡାକ୍ତର ଅଛନ୍ତି । କିନ୍ତୁ ଭାରତର ବିଶାଳ ଜନସଂଖ୍ୟାକୁ ଦେଖିଲେ ଭାରତରେ ଥିବା ନ୍ୟୁରୋସର୍ଜନଙ୍କ ସଂଖ୍ୟା କମ ରହିଛି ବୋଲି ସେ କହିଛନ୍ତି । ସୂଚନା ଯେ, ଶ୍ରୀ ମିଶ୍ର ଭୁବନେଶ୍ୱରର ମୂଳ ବାସିନ୍ଦା । ସେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ସାହିତ୍ୟିକ ବୈଦ୍ୟନାଥ ମିଶ୍ରଙ୍କ ପୁତ୍ର । ସେ ବର୍ତ୍ତମାନ ପିଡି ହିନ୍ଦୁଜା ହସ୍ପିଟାଲ ଏବଂ ମେଡିକାଲ ରିସର୍ଚ୍ଚ ସେଣ୍ଟର, ମୁମ୍ବାଇର ସ୍ନାୟୁ ଅସ୍ତ୍ରୋପଚାରର ବିଭାଗର ମୁଖ୍ୟ ଏବଂ ଗାମା କ୍ନାଇଫ୍ ରେଡିଓ ସର୍ଜରୀ ବିଭାଗର ମୁଖ୍ୟ ଅଛନ୍ତି । ଏହି ପୁରସ୍କାର ବାସ୍ତବରେ ନ୍ୟୁରୋସର୍ଜରୀ କ୍ଷେତ୍ରରେ ଭାରତର ଉଚ୍ଚମାନର ଚିକିତ୍ସା ସେବାର ଏକ ମାନ୍ୟତା ଅଟେ । ଚିକିତ୍ସା କ୍ଷେତ୍ରରେ ବିଗତ ଏକ ଦଶନ୍ଧି ମଧ୍ୟରେ ଭାରତର ଅଗ୍ରଗତି ଅତୁଳନୀୟ ଏବଂ ଡାକ୍ତର ମାନଙ୍କ ପରିଶ୍ରମର ଦୁନିଆରେ ଭାରତକୁ ସର୍ବୋତ୍ତମ କରିପାରିଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।
