ବାଲେଶ୍ୱର : ଶହୀଦ ଦିବସ ଅବସରରେ ନୀରବ ପ୍ରାର୍ଥନା
ବାଲେଶ୍ୱର : ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବଳିଦାନ ଦିବସର ସ୍ମୃତି ତଥା ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମରେ ଜୀବନ ଉତ୍ସର୍ଗୀକୃତ କରିଥିବା ଅମର ଆତ୍ମାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଶହୀଦ ଦିବସ ପାଳିତ ହୋଇଯାଇଛି । ଏଥିନିମନ୍ତେ ରବିବାର ପୂର୍ବାହ୍ନ ୧୧ଟା ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁଇ ମିନିଟ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା ।
ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର, ଅତିରିକ୍ତ ଜିଲାପାଳ (ରାଜସ୍ୱ) ଭବେଶ କୁମାର ନାୟକ, ଆଇଏଏସ ପ୍ରୋବେସନର କୁନାଲ ଚୌହାନ, ଜିଲା ଶିକ୍ଷାଧିକାରୀ ବିଷ୍ଣୁ ଚରଣ ସୂତାର, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କର୍ମଚାରୀ, ଏନଡିଆରଏଫ୍ ଯବାନ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଅମର ଆତ୍ମାଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନପୂର୍ବକ ଏହି ନୀରବ ପ୍ରାର୍ଥନାରେ ସାମିଲ ହୋଇଥିଲେ । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଅଗ୍ନିଶମ ବିଭାଗ କର୍ମଚାରୀ ସୂଚନା ଦେବା ମାତ୍ରେ ପୂର୍ବାହ୍ନ ୧୦ଟା ୫୯ମିନିଟ ସମୟରେ ନୀରବ ପ୍ରାର୍ଥନା ନିମନ୍ତେ ସାଇରନ ବାଜିଥିଲା । ପୁଣି ପୂର୍ବାହ୍ନ ୧୧ଟା ୨ ମିନିଟ୍ ସମୟରେ ସାଇରନ ବଜାଯାଇ ନୀରବ ପ୍ରାର୍ଥନାର ସମାପ୍ତି ଘୋଷଣା କରାଯାଇଥିଲା । ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
