ଏନଏସଇ ସ୍କାମ୍ ମାମଲା: ୭ଦିନିଆ ସିବିଆଇ ରିମାଣ୍ଡରେ ଗଲେ ଚିତ୍ରା ରାମକୃଷ୍ଣ
ନୂଆଦିଲ୍ଲୀ : ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ସ୍କାମ୍ ମାମଲାରେ ପୂର୍ବତନ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ (ସିଇଓ) ଚିତ୍ରା ରାମକୃଷ୍ଣଙ୍କ ସମସ୍ୟା ଏବେ ଜଟିଳ ହୋଇଛି । ରବିବାର ବିଳମ୍ବିତ ରାତ୍ରିରେ ଚିତ୍ରାଙ୍କୁ ସିବିଆଇ ଗିରଫ କରିଥିବା ବେଳେ ସୋମବାର ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ହାଜର କରିଥିଲା । ମାମଲାରେ ଚିତ୍ରାଙ୍କୁ ଅଧିକ ପଚରା ଉଚରା ନିମନ୍ତେ କୋର୍ଟଙ୍କୁ ସିବିଆଇ ୧୪ ଦିନ ରିମାଣ୍ଡ ନିବେଦନ କରିଥିଲେ । ତେବେ କୋର୍ଟ ୭ ଦିନ ମଞ୍ଜୁର କରିଛନ୍ତି ।
ଏହା ପୂର୍ବରୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଏନଏସଇଙ୍କ ପୂର୍ବତନ ଗ୍ରୁପ ଅପରେଟିଂ ଅଫିସର (ଜିଓଓ) ଆନନ୍ଦ ସୁବ୍ରଣ୍ୟନଙ୍କ ସିବିଆଇ ହାଜତ ମିଆଦ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିଥିଲେ । ସିବିଆଇ ସୁବ୍ରମଣ୍ୟନଙ୍କୁ ଚେନ୍ନାଇରୁ ଗିରଫ କରିଥିଲା । ତେବେ ସିବିଆଇ ଅଧିକାରୀମାନେ ଚିତ୍ରାଙ୍କୁ ଦୀର୍ଘ ୩ ଦିନ ପର୍ଯ୍ୟନ୍ତ ପଚରା ଉଚରା କରିବା ସହ ତାଙ୍କ ଘରର ତଲାସୀ ନେଇଥିଲେ । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା ।
ଚିତ୍ରା ସିବିଆଇ ଅଧିକାରୀଙ୍କୁ ସେମାନଙ୍କ ପ୍ରଶ୍ନର ସଠିକ ଜବାବ ଦେଉ ନଥିଲେ । ଏଣୁ ସିବିଆଇ ମାମଲାରେ କେନ୍ଦ୍ରୀୟ ଫରେନସିକ ଲ୍ୟାବର ମନୋବୈଜ୍ଞାନିକଙ୍କ ସହାୟତା ମଧ୍ୟ ନେଇଥିଲେ । ମନୋବୈଜ୍ଞାନିକଙ୍କ ପଚରା ଉଚରା ପରେ ତାଙ୍କୁ ଗିରଫ କରିବା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନଥିବା ସିବିଆଇ ନିଶ୍ଚିତ ହେବା ପରେ ଗିରଫ କରିଛି । ଚିତ୍ରା ରାମକୃଷ୍ଣ ୨୦୧୩ରୁ ୨୦୧୬ ପର୍ଯ୍ୟନ୍ତ ଏନଏସଇଙ୍କ ଏମଡି ତଥା ସିଇଓ ଥିଲେ । ତେବେ ହିମାଳୟସ୍ଥିତ ଜନୈକ ଯୋଗୀଙ୍କ ସହ ସେ ଷ୍ଟକ୍ ଏକ୍ସଚେଞ୍ଜର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାନପ୍ରଦାନ କରୁଥିବାର ତାଙ୍କ ଉପରେ ଅଭିଯୋଗ ରହିଛି । ତେବେ ଚେନ୍ନାଇରୁ ସୁବ୍ରମଣ୍ୟନ ଗିରଫ ହେବା ବେଳେ ସେ ହିଁ ହିମାଳୟର ଯୋଗୀ ବୋଲି ନିଜକୁ କହିଥିଲେ । ଏନଏସଇଙ୍କ କାର୍ଯ୍ୟରେ ଅନାବଶ୍ୟକ ଦଖଲ ଦେବା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଛି ।
