ଏଣିକି ଚୀନ ସମେତ ଏହି ୪ ଦେଶରୁ ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ
ନୂଆଦିଲ୍ଲୀ : ଚୀନ ସମେତ ବିଭିନ୍ନ ଦେଶରେ ଏବେ କୋରୋନାର ନୂଆ ଭାରିଏଣ୍ଟ ତାଣ୍ଡବ ରଚୁଛି। ଏହି କାରଣରୁ ଭାରତ ସରକାର ବିମାନ ବନ୍ଦରରେ ଟେଷ୍ଟିଂକୁ କଡ଼ାକଡ଼ି କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏହି ପାଞ୍ଚଟି ଦେଶରୁ ଯେଉଁ ନାଗରିକ ମାନେ ଆସିଲେ ମଧ୍ୟ ଆରଟିପିସିଆର ଟେଷ୍ଟ ବାଧ୍ୟତା ମୂଳକ କରାଯିବ । ଚୀନ, ଜାପାନ, ହଂକଂ, ଥାଇଲାଣ୍ଡ, ଦକ୍ଷିଣ କୋରିଆରୁ ଆସିଲେ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯିବ । ଟେଷ୍ଟ ପଜିଟିଭ୍ ବାହାରିଲେ କ୍ୱାରେଣ୍ଟାଇନରେ ରହିବେ ସଂକ୍ରମିତ । ସେହିପରି ବିମାନ ଯାତ୍ରା ପୂର୍ବରୁ ଏୟାର ସୁବିଧା ଫର୍ମ ପୂରଣ କରିବେ ଯାତ୍ରୀ ।
ଏୟାର ସୁବିଧା ଫର୍ମ ପୂରଣ ସମୟରେ ନିଜ ସ୍ୱାସ୍ଥ୍ୟ ବିଷୟରେ ସଠିକ୍ ତଥ୍ୟ ଦେବେ ସମ୍ପୃକ୍ତ ଦେଶର ଯାତ୍ରୀ । ଯଦି ଟେଷ୍ଟ ରିପୋର୍ଟ ପଜିଟିଭ୍ କିମ୍ବା ଯାତ୍ରୀ ଜଣଙ୍କ ସଂକ୍ରମିତ ହୋଇଥାନ୍ତି ତେବେ ତାଙ୍କ ତୁରନ୍ତ କ୍ୱାରେଣ୍ଟାଇନ ରେ ରଖାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ସେହିପରି ଏବେ ବି ଦେଶରେ କୋରୋନା ମହାମାରୀର ପ୍ରକୋପ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସମୟରେ କୋରୋନ ଭୂତାଣୁର ନୂଆ ଭାରିଏଣ୍ଟ ବିଏଫ.୭ ସକ୍ରିୟ ହେବାରେ ଲାଗିଛି। ଭାରତରେ ବିଏଫ.୭ କରୋନାର ନୂଆ ଭାରିଏଣ୍ଟ ସମ୍ପର୍କିତ ଚାରୋଟି ମାମଲା ଭାରତରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଛି।
ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଲୋକସଭାରେ ଆହୁରି ମଧ୍ୟ କହିଛନ୍ତି, କୋରୋନା ଭୂତାଣୁର ସର୍ବଦା ବଦଳୁଥିବା ପ୍ରଜାତି ବିଶ୍ୱ ସ୍ୱାସ୍ଥ୍ୟ ପାଇଁ ବିପଦ। କେନ୍ଦ୍ର ସରକାର କ୍ରମାଗତ ଭାବରେ କୋରୋନା ମହାମାରୀର ବୈଶ୍ୱିକ ସ୍ଥିତି ଉପରେ ସତର୍କ ନଜର ରଖି ଆସୁଛନ୍ତି। ଜନସ୍ୱାସ୍ଥ୍ୟ ଆଗରେ ରହିଥିବା ସମସ୍ୟାର ସମାଧାନ କରିବା ପାଇଁ ନିରନ୍ତର ପଦକ୍ଷେପ ନିଆଯାଉଛି। ଆଗକୁ ଆସୁଥିବା ପର୍ବପର୍ବାଣୀ ପାଇଁ ଆବଶ୍ୟକୀୟ କୋଭିଡ ପ୍ରୋଟୋକଲ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମସ୍ତ ରାଜ୍ୟକୁ ଚିଠି ଲେଖି କୋରୋନା ଉପରେ କଡା ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
କାରଣ ଯଦି ବିଗତ ଦିନ ମାନଙ୍କର ରିପୋର୍ଟକୁ ନଜରରେ ଦେଖିବା ଚୀନରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି। ଯେଉଁଥିପାଇଁ ଭାରତ ସରକାରଙ୍କ ଚିନ୍ତା ବଢିଯାଇଛି। ବୁଧବାର ସରକାର ଲୋକଙ୍କୁ ଟିକାକରଣ କରିବା ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି। ଏବେ ଚୀନରେ କୋରୋନା ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ ଓମିକ୍ରନ ସବ-ଭାରିଆଣ୍ଟ ବିଏଫ.୭ ସହ ଜଡ଼ିତ ଚାରୋଟି ମାମଲା ଦେଶରେ ଚିହ୍ନଟ କରାଯାଇଛି। ଗୁଜୁରାଟ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ସେଣ୍ଟର ଅକ୍ଟୋବରରେ ଭାରତରେ ଏ ସମ୍ପର୍କିତ ପ୍ରଥମ ମାମଲା ଚିହ୍ନଟ କରିଛି। ସେହିପରି କୋରୋନା ସଂକ୍ରମଣ ଦୃଷ୍ଟିରୁ କେରଳ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ତାମିଲନାଡୁ ସର୍ବାଗ୍ରେ ରହିଥିବା ରାଜ୍ୟ ତାଲିକାରେ ସାମିଲ ଅଛନ୍ତି।
