କୁଖ୍ୟାତ ମାଓନେତା ପ୍ରଶାନ୍ତ ବୋଷ, ପତ୍ନୀ ଗିରଫ
ରାଂଚି: କୁଖ୍ୟାତ ମାଓବାଦୀ ନେତା ପ୍ରଶାନ୍ତ ବୋଷ ଓରଫ କିଶନ ଦାଙ୍କୁ ଶେଷରେ ଗିରଫ କରିଛି ଝାରଖଣ୍ଡ ପୁଲିସ୍ । କିଶନ ଦା’ଙ୍କ ବ୍ୟତୀତ ତାଙ୍କ ପତ୍ନୀ ଶିଲା ମାରାଣ୍ଡି ମଧ୍ୟ ବନ୍ଧା ହୋଇଛନ୍ତି । ୭୫ ବର୍ଷୀୟ କିଶନ ଦାଙ୍କୁ ଧରିବା ପାଇଁ ପୁଲିସ୍ ପକ୍ଷରୁ କୋଟିଏ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।
ଦୀର୍ଘ ଦିନ ଧରି ସେ ଫେରାର ହେବାକୁ ସଫଳ ହୋଇଥିଲେ ହେଁ ଶେଷରେ ପୁଲିସ୍ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି । ଏ ସମ୍ପର୍କରେ ଝାରଖଣ୍ଡ ପୁଲିସ୍ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କିଶନ ଦା’ ଏବେ ସିପିଆଇ ମାଓବାଦୀ ସେଂଟ୍ରାଲ କମିଟିର ସଦସ୍ୟ, ପଲିଟିବ୍ୟୁରୋ, ସେଂଟ୍ରାଲ ମିଲିଟାରୀ କମିଶନ ଓ ଇଷ୍ଟର୍ଣ୍ଣ ରିଜୋନାଲ ବ୍ୟୁରୋ (ଇଆରବି)ର ସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ । ସେ ଇଆରବିର ସମ୍ପାଦକ ହୋଇଥିବାରୁ ବିହାର, ଝାରଖଣ୍ଡ, ଓଡ଼ିଶା, ଉତର ପ୍ରଦେଶ ଭଳି ରାଜ୍ୟଗୁଡ଼ିକରେ ମାଓବାଦୀଙ୍କ କାର୍ଯ୍ୟକଳାପକୁ ପରିଚାଳନା କରୁଥିଲେ । ୭୫ ବର୍ଷୀୟ କିଶନ ଦା’ଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଖରାପ ରହିଥିବା କୁହାଯାଉଛି । କିଶନ ଦା’ ବ୍ୟବତୀତ ପ୍ରଶାନ ବୋଷ ନିର୍ଭୟ, କଜଲ ଓ ମହେଶ ନାଁ ମଧ୍ୟ ପରିଚିତ । କିଶନ ଦାଙ୍କ ପତ୍ନୀ ଶିଲା ମାରାଣ୍ଡି ମଧ୍ୟ ଜଣେ ଟପ୍ ମାଓବାଦୀ ନେତ୍ରୀ । ସେ ଏକମାତ୍ର ମହିଳା ଯିଏ ସେଂଟ୍ରାଲ କମିଟିର ନିଷ୍ପତି ଗ୍ରହଣ କରୁଥିବା ଗ୍ରୁପରେ ରହିଥିଲେ । ୨୦୦୬ରେ ସେ ଗିରଫ ହୋଇ ରାଉରକେଲା ଜେଲରେ ଥିଲେ । କିନ୍ତୁ ତାଙ୍କୁ ୨୦୧୬ରେ ଜେଲରୁ ମୁକ୍ତ କରାଯାଇଥିଲା । କିଶନ ଦା’ ଓ ଶିଲାଙ୍କ ଅବସ୍ଥିତି ସମ୍ପର୍କରେ ପ୍ରଥମେ ଗୁଇନ୍ଦା ବିଭାଗ ସୂଚନା ଦେଇଥିଲା । ଏହାପରେ ଝାରଖଣ୍ଡ ପୁଲିସ୍ ଉକ୍ତ ସ୍ଥାନରେ ରେଡ୍ କରି ସେମାନଙ୍କୁ ଗିରଫ କରିଛି । ପଶ୍ଚିମବଙ୍ଗର ଯାଦବପୁର ଅଂଚଳରୁ ଆସିଥିବା କିଶନ ଦା’ ଝାରଖଣ୍ଡର ସାରନ୍ଦା ଜଙ୍ଗଲରୁ ରହି ନିଜ ମାଓବାଦୀ ନେଟୱର୍କ ଚଳାଉଥିଲେ । ସେହିଠାରୁ ହିଁ ତାଙ୍କୁ ଗିରଫ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି ।
