ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଜ୍ଞପ୍ତି
ଭୁବନେଶ୍ୱର : ଝାରସୁଗୁଡାରେ ଉପ-ନିର୍ବାଚନ ପାଇଁ ଆସନ୍ତାକାଲି (ଏପ୍ରିଲ ୧୩)ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ଉପ-ନିର୍ବାଚନ ହେବ । ଏନେଇ ଗତ ମାର୍ଚ୍ଚ ୨୯ ତାରିଖରେ ନିର୍ବାଚନ ଆୟୋଗ ଘୋଷଣା କରିଥିଲେ । ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଛି । ଉପନିର୍ବାଚନ ପାଇଁ ବିଜେଡି ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି ତରୁଣ ପାଣ୍ଡେ । ଅନ୍ୟପକ୍ଷରେ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ନିର୍ବାଚନ ଆୟୋଗଙ୍କ ଉପନିର୍ବାଚନ ଘୋଷଣା ଅନୁସାରେ ଅପ୍ରେଲ ୧୩ ତାରିଖ (ଗୁରୁବାର) ଗେଜେଟ୍ ନୋଟିଫିକେସନ୍, ଅପ୍ରେଲ ୨୦ ତାରିଖ (ଗୁରୁବାର) ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ, ଅପ୍ରେଲ ୨୧ ତାରିଖ (ଶୁକ୍ରବାର) ନାମାଙ୍କନ ପତ୍ର ଯାଂଚ, ଅପ୍ରେଲ ୨୪ ତାରିଖ (ସୋମବାର) ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ, ମଇ ୧୦ ତାରିଖ (ବୁଧବାର) ମତଦାନ ଦିବସ, ମଇ ୧୩ ତାରିଖ (ଶନିବାର) ଭୋଟ ଗଣତି ଓ ମଇ ୧୫ ତାରିଖ ଦିନ ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମୁଦାୟ ଭୋଟରଙ୍କ ସଂଖ୍ୟା ହେଉଛି ୨୨୧୦୭୦ । ସେଥି ମଧ୍ୟରୁ ୧୧୦୩୨୦ ଜଣ ପୁରୁଷ ଓ ୧୧୦୬୮୭ ଜଣ ମହିଳା ଓ ୬୩ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି । ୨୫୨୬ ଜଣ ଦିବ୍ୟାଙ୍ଗ ଭୋଟର ଅଛନ୍ତି ଓ ୮୦ ବର୍ଷରୁ ଊର୍ଦ୍ଧ୍ୱ ୪୦୭୪ ଜଣ ବରିଷ୍ଠ ଭୋଟର ଅଛନ୍ତି । ନିର୍ବାଚନୀ ମଣ୍ଡଳୀରେ ୨୦୬ ଗୋଟି ସ୍ଥାନରେ ସମୁଦାୟ ୨୫୩ ଗୋଟି ଭୋଟଗ୍ରହଣ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି ।
