କରୋନା ଭଳି ମାରାତ୍ମକ ନୁହେଁ ଟମାଟୋ ଫ୍ଲୁ : ନିରଜ ମିଶ୍ର
ଭୁବନେଶ୍ୱର: କରୋନା ପରେ ଏବେ ଡରାଉଛି ଟମାଟୋ ଫ୍ଲୁ । କରୋନାକୁ ନେଇ ଭୟ ଯାଇନଥିବା ବେଳେ ଏବେ ଆତଙ୍କ ସୃଷ୍ଟି କରିଛି ଟମାଟୋ ଫ୍ଲୁ । ବିଶେଷ କରି ଛୋଟ ପିଲାଙ୍କ କ୍ଷେତ୍ରରେ ଦେଖାଯାଇଛି ଏହି ରୋଗ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ତାମିଲନାଡୁ ଓ କର୍ଣ୍ଣାଟକ ପରେ ଏବେ ଓଡ଼ିଶାରେ ବ୍ୟାପୁଛି ଟମାଟୋ ପ୍ଳୁ । ବିଶେଷ କରି ୫ ବର୍ଷରୁ କମ୍ ବୟସ୍କ ପିଲାଙ୍କ ଶରୀରରେ ଦେଖାଦେଇଛି ଏହି ରୋଗ । ଏହି ସଂକ୍ରମଣ ହାତର ପାପୁଲିରେ, ପାଟି, ପାଦ, ଆଣ୍ଠୁ, ଛାତି, ପିଠିରେ ଲାଲ ରଙ୍ଗର ଦାଗ ସୃଷ୍ଟି କରେ । ଏହା ବେଳେବେଳେ ଜ୍ୱର ସହିତ ହୋଇଥାଏ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏକମାତ୍ର ଶିଶୁ ରୋଗ ପ୍ରତିଷ୍ଠାନ ଶିଶୁ ଭବନରେ ରୋଗର ଚିକିତ୍ସା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ୧୨ ବେଡ ବିଶିଷ୍ଟ ସ୍ୱତନ୍ତ୍ର ୱାର୍ଡ ପ୍ରସ୍ତୁତ କରାଯାଇଛି । ରାଜ୍ୟର କେହି ଶିଶୁ ଟମାଟୋ ଫ୍ଲୁରେ ସଂକ୍ରମିତ ହେଲେ ଶିଶୁ ଭବନରେ ଏହି ୱାର୍ଡରେ ଭର୍ତି କରାଯିବ । ୫ ବର୍ଷରୁ କମ୍ ବୟସ୍କ ଶିଶୁଙ୍କ ଶରୀରରେ ଏହି ରୋଗର ଲକ୍ଷଣ ଦେଖାଯାଉଥିବାରୁ କିଭଳି ସତର୍କତା ଅବଲମ୍ବନ କରାଯାଇପାରିବ ସେ ନେଇ ବିଶେଷଜ୍ଞ ଡାକ୍ତର ପରାମର୍ଶ ଦେଇଛନ୍ତି ।
ଟମାଟୋ ଫ୍ଲୁ ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ବରିଷ୍ଠ ଚିକିତ୍ସକ ଡାକ୍ତର ନିରଜ ମିଶ୍ର । ସେ କହିଛନ୍ତି, ଟମାଟୋ ଫ୍ଲୁ ବୋଲି କୁହାଯାଉଥିବା ରୋଗଟିକୁ ପ୍ରକୃତରେ ହାଣ୍ଡ ଫୁଟ୍ ଆଣ୍ଡ ମାଉଥ ରୋଗ ବୋଲି କୁହାଯାଏ । ସାଧାରଣତଃ ୫ ବର୍ଷରୁ କମ୍ ଶିଶୁମାନଙ୍କ ପାଖରେ ଏ ରୋଗ ଦେଖିବାକୁ ମିଳେ । ଏହା ଏକ ସଂକ୍ରମିତ ରୋଗ । ରୋଗୀର ସଂସ୍ପର୍ଶରେ ଆସିଲେ ରୋଗ ଟି ବ୍ୟାପିଥାଏ । କରୋନା ଭଳି ଏହି ରୋଗ ମାରାତ୍ମକ ନୁହେଁ କେବଳ ୧୦ ଦିନରେ ହିଁ ରୋଗ ଭଲ ହେଉଛି । କ୍ୱଚିତ୍ ଘଟଣାରେ ରୋଗୀକୁ ହସ୍ପିଟାଲରେ ଭର୍ତି କରିବାକୁ ପଡ଼େ । ଏହି ରୋଗ ୩ ଟି ଭାଇରସ ଦ୍ୱାରା ବ୍ୟାପିଥାଏ । ଏଗୁଡ଼ିକ ହେଲା କୋକସାକି ଭାଇରସ ଏ ୧୬, କୋକସାକି ଭାଇରସ ଏ ୬,ଏେଂଟରୋ ଭାଇରସ ୭୧ (ଇଭି-ଏ ୭୧) ଦ୍ୱାରା ରୋଗ ଟି ହୋଇଥାଏ । ଇଭି-ଏ ୭୧ ଦ୍ୱାରା ହେଉଥିବା ସଂକ୍ରମଣରେ ରୋଗୀର ହାର୍ଟ ଓ ବ୍ରେନକୁ ପ୍ରଭାବ ପଡ଼ିଥାଏ ।
