ଆୟବର୍ହିଭୂତ ସମ୍ପତି ଠୁଳ ମାମଲା : କୁବେର ଅଧିକାରୀ ସସପେଣ୍ଡ
ଭୁବନେଶ୍ୱର : ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ କୋଟିପତି ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନ (ଓପିଏଚଡବ୍ଲୁସି) ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ ନିଲମ୍ବନ କରାଯାଇଛି । ଭିଜିଲାନ୍ସ ଦ୍ୱାରା ପ୍ରତାପ ବୁଧବାର ଗିରଫ ହୋଇଥିବା ବେଳେ ଗୁରୁବାର ତାଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟ ସରକାର । ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ୧୦ଟି ଘରେ ଚଢ଼ାଉ ହୋଇଥିଲା । ପ୍ରତାପ ସାମଲଙ୍କ ପତ୍ନୀଙ୍କ ନାଁରେ ରହିଥିବା କୋଟିକୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଭୁବନେଶ୍ୱର ଗୋଠପାଟଣାରେ ପତ୍ନୀଙ୍କ ନାଁରେ ଫ୍ଲାଟ ରହିଛି । ୨୦,୩୫୦ ସ୍କୋୟାରଫୁଟ ଜାଗାରେ ୫ ମହଲା ବିଲ୍ଡିଂ ତିଆରି ହୋଇଛି । ସେହି ୫ ମହଲା ବିଲ୍ଡିଂର ମୂଲ୍ୟ ୩ କୋଟି ୨୫ ଲକ୍ଷ ୬୦ ହଜାର ଟଙ୍କା ରହିଛି । ବିଲ୍ଡିଂରେ ହୋଇଥିବା ଜାଗାର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା । ଏହା ସହ ଚଢ଼ାଉ ବେଳେ ଘରୁ ନଗଦ ୩୮ ଲକ୍ଷ ଟଙ୍କା ମିଳିଛି ।
ସୂଚନା ଯେ, ପ୍ରତାପ ସାମଲଙ୍କ ଘର ସମେତ ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୧୦ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଛି । ପ୍ରତାପଙ୍କ ଭୁବନେଶ୍ୱର ଆଇଆରସି ଭିଲେଜ୍ ପ୍ଲଟ୍ ନମ୍ବର ଏନ୍/୬-୪୧୬ରେ ଏକ ତିନିମହଲା କୋଠା, ଜୟଦେବ ବିହାରରେ ଏକ ଦୁଇମହଲା ଘର, ବିଜୁ ପଟ୍ଟନାୟକ କଲେଜ ଛକ ମା ଭାଗବତୀ ମନ୍ଦିର ବିପରୀତ ଦିଗରେ ଏକ ଛଅମହଲା କୋଠା, ଖଣ୍ଡଗିରିରେ ଏକମହଲା ଭଡ଼ା ଦିଆଯାଇଥିବା ଘର, ଅନନ୍ୟା ଟାୱାରରେ ଥିବା ତାଙ୍କ ସହଯୋଗୀଙ୍କ ଘର, ତାଙ୍କ ପୁଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର କାର୍ଯ୍ୟାଳୟ, ଭଦ୍ରକ ଜିଲ୍ଲାର ବାସୁଦେବପୁରର ବାଲିସାହିଠାରେ ଏକ ତିନି ମହଲା ଆପାର୍ଟମେଂଟ, ବାଲେଶ୍ୱର ଜିଲ୍ଲାର ସୁମୁଳିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହରିପୁରରେ ନିଜର ପୈତୃକ ଘର ଓ ସଂପର୍କୀୟଙ୍କ ଘରେ ଚଢ଼ାଉ କରାଯାଇଥିଲା । ପ୍ରତାପ ସାମଲ ଜଣେ ଡିପ୍ଲୋମା ସିଭିଲ ଇଜିନିୟର ।ସେ ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନରେ ଜୁନିୟର ଇଂଜିନିୟର ଭାବେ ୧୯୮୮ମସିହା ଅଗଷ୍ଟ୧୪ ତାରିଖରେ ଯୋଗଦେଇଥିଲେ । ପରେ ସେ ଏଷ୍ଟିମେଟର ଭାବେ ସେହିଠାରେ ୧୯୯୪ରୁ ୧୯୯୫ ଯାଏଁ କାମ କରିଥିଲେ । କେନ୍ଦ୍ରାପଡ଼ା ଓ ଦେବଗଡ଼ ଭଳି ଜିଲ୍ଲାରେ କାମ କରିବା ପରେ ପୁଣି ଓଡ଼ିଶା ପୁଲିସ୍ ହାଉସିଂ ଆଣ୍ଡ ୱେଲଫେଆର୍ କର୍ପୋରେସନ ଅଫିସରେ ଡେପୁଟି ମ୍ୟାନେଜର ଭାବେ କାମ କରୁଥିଲେ ।
