ବହୁ ମୁଖୀ ସ୍ୱାସ୍ଥ୍ୟ କର୍ମୀ/ସ୍ୱାସ୍ଥ୍ୟ ପରିଦର୍ଶକ ମାନଙ୍କ ୫ଦଫା ଦାବି ପୂରଣ ନହେଲେ ୧୪ରୁ ଅସହଯୋଗ ଆନ୍ଦୋଳନ
ଯାଜପୁର : ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ / ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ଆହ୍ୱାନ କ୍ରମେ ଜିଲା ସଂଘ ପକ୍ଷରୁ ସେମାନଙ୍କର ୫ଦଫା ଦାବି ପୂରଣ ନହେଲେ ଆଗାମୀ ୧୪ତାରିଖ ଦିନ ଅସହଯୋଗ ଆନ୍ଦୋଳନ ଓ ୨୧ ତାରିଖ ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଟୀକାକରଣ ପରିଚାଳନା, ମମତା ଦିବସ ପରିଚାଳନା, ଜାତୀୟ ସ୍ୱାସ୍ଥ୍ୟ ଦିବସ ପରିଚାଳନା, ଯକ୍ଷ୍ମା ରୋଗୀ ମାନଙ୍କୁ ଚିକିତ୍ସାଳୟକୁ ପଠାଇବା, କୁଷ୍ଠରୋଗ, ଅନ୍ଦତ୍ୱ ଦୂରୀକରଣ ସଚେତନତା, ଗାଁ କଲ୍ୟାଣ ସମିତି ପରିଚାଳନା, ଅଣ ସଂଗ୍ରାମକ ରୋଗ ଶିବିର ପରିଚାଳନା ଆଦି ସମସ୍ତ କାର୍ଯ୍ୟ ପ୍ରଭାବିତ ହେବ । ସେଥିପାଇଁ ଜିଲା ସଂଘ ପକ୍ଷରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପ୍ରତ୍ୟେକ ସରକାରୀ କର୍ମଚାରୀ ନିଜର ଚାକିରୀ କାଳରେ ୪ ରୁ ୮ଟି ପଦନ୍ୱତି ପାଉଥିବା ବେଳେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମାନେ ବିନା ପଦନ୍ୱତିରେ ଚାକିରୀରୁ ଅବସର ନେଉଛନ୍ତି । ଚାକିରୀ କାଳରେ ସର୍ବନିମ୍ନ ୪ଟି ପଦନ୍ୱତି ଦେବା ପାଇଁ ପଦନ୍ୱତି କରାଯିବା ସହିତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗତ ନଭେମ୍ବର ୨୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ଼ ପେ ପ୍ରଦାନ, ଇନ୍କ୍ରିଜ୍ ମେଣ୍ଟ ସହିତ ଦରମା ବୃଦ୍ଧି, ପଦବୀର ନାମ ପରିବର୍ତ୍ତନ, ପୋଷାକ ଭତ୍ତା ଆକାରରେ ବାର୍ଷିକ ୫ହଜାର ଟଙ୍କା ପ୍ରଦାନ ଆଦି ଦାବି ରଖାଯାଇଛି । ଏହି ଦାବି ପୂରଣ ନହେଲେ ଆନ୍ଦୋଳନ କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯିବା ନିମନ୍ତେଜିଲା ସଂଘ ପକ୍ଷରୁ ଏକ ବିଶାଳ ରାଲି ସଂଘର ସଭାନେତ୍ରୀ ସୈାଭାଗ୍ୟବତୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ବାହାରି ଯାଜପୁର ଜିଲାପାଳ ଓ ସିଡ଼ିଏମ୍ଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
