ଶିକ୍ଷାଦାନରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ – ଗଣଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର : ପିଲାମାନଙ୍କ ଭବିଷ୍ୟତ ଗଠନରେ କୌଣସି ପ୍ରକାର ଅବହେଳା କଲେ ତାହାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । ଶୁକ୍ରବାର କୃଷି ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ପାଇଁ ଆୟୋଜିତ ଦୁଇଦିନିଆ ରାଜ୍ୟସ୍ତରୀୟ ତାଲିମ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ, ଓଡ଼ିଶାର ସରକାରୀ ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷାର ପ୍ରଚଳନ ପାଇଁ ସବୁପ୍ରକାର ପଦକ୍ଷେପ ହାତକୁ ନିଆଯିବ । ତୃଣମୂଳସ୍ତରରୁ ଆରମ୍ଭ କରି ଉଚ୍ଚ ପଦାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏଦିଗରେ ମିଳିତ ଭାବରେ କାର୍ଯ୍ୟ କରିବେ । ପ୍ରଧାନଶିକ୍ଷକ, ଶିକ୍ଷକ, ସିଆରସିସି, ବିଇଓ ଏବଂ ଡିଇଓମାନଙ୍କ ମିଳିତ ପ୍ରଚେଷ୍ଟା ଛାତ୍ରଛାତ୍ରୀମାନଙ୍କ ବୋର୍ଡ ପରୀକ୍ଷାରେ ପ୍ରତିଫଳିତ ହେବା ନେଇ ଶ୍ରୀ ଦାଶ ଆଶା ପ୍ରକାଶ କରିଥିଲେ । ସେହିଭଳି ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବିଭାଗୀୟ କର୍ମଚାରୀଙ୍କୁ ଉଚିତ୍ ସମୟରେ ପେନ୍ସନ୍ ପ୍ରଦାନ ସହ ଛାତ୍ରଛାତ୍ରୀମାନଙ୍କୁ ନିର୍ଦ୍ଧାରିତ ସମୟରେ ମେଧାବୃତି ବାବଦ ଆର୍ôଥକ ସହାୟତା ପ୍ରଦାନ ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏଫ୍ଏଲ୍ଏନ୍ (ଫାଉଣ୍ଡେସନାଲ ଲିଟେରାସି ଆଣ୍ଡ ନିଉମେରସି) ଏବଂ ଏଲ୍ଆରପି(ଲର୍ଣ୍ଣିଙ୍ଗ ରିକଭରି ପ୍ରୋଗ୍ରାମ) କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାରଙ୍କ ଭୂମିକା ଓ ପରବର୍ତୀ ଫଳାଫଳର ଆଭିମୁଖ୍ୟ କାର୍ଯ୍ୟକ୍ରମର ମୁଖ୍ୟ ପ୍ରସଙ୍ଗ ରହିଥିଲା । ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସହ ଶିକ୍ଷା ବିଭାଗର ସମସ୍ତ ଅଧିକାରୀଙ୍କୁ ଆଚରଣରେ ପରିବର୍ତନ ଆଣିବା ଏବଂ ଓଡ଼ିଶାର ଭବିଷ୍ୟତ ଗଠନ ପାଇଁ ସମସ୍ତେ ମିଳିତ ଭାବରେ କାର୍ଯ୍ୟ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରାମତୀ ଆଶ୍ୱଥୀ ଏସ୍. କହିଥିଲେ । ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଏମ୍ଡିଏମ୍(ମଧ୍ୟାହ୍ନ ଭୋଜନ) ଏବଂ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମ ଉପରେ ସବିଶେଷ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାଂଚଳ ରାଜସ୍ୱ ଡିଭିଜନ୍ ର ୧୦୩ ଜଣ ବ୍ଲକ୍ ଶିକ୍ଷା ଅଧିକାରୀ ଏବଂ ୧୦ ଜଣ ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗଦାନ କରିଥିଲେ । ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ୱାଗତ ଅଭିଭାଷଣ ଦେବା ସହ ପ୍ରାଥମିକ ବିଦ୍ୟାଳୟ ଭିତିଭୂମିର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲେ ।
