ତେଲରେ ଲାଗୁନି ଲଗାମ, ଆଜି ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର
ନୂଆଦିଲ୍ଲୀ : ତେଲରେ ଲାଗୁନି ଲଗାମ । ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧି ପାଉଛି। ଚାରି ମାସରୁ ଅଧିକ ସମୟ ପରେ ଏହି ମୂଲ୍ୟ ୨୨ ମାର୍ଚ୍ଚରେ ପ୍ରଥମ ଥର ପାଇଁ ପରିବର୍ତ୍ତିତ ହୋଇଥିଲା। ସେବେଠାରୁ (୧୩ ଦିନ) ୧୧ ଥରରେ ୮ ଟଙ୍କା ତେଲ ମହଙ୍ଗା ହୋଇଛି। ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆଜି ୮୦ ପଇସା ଲେଖାଏଁ ବୃଦ୍ଧି ପାଇଛି। ଏହା ପରେ ରାଜଧାନୀ ଦିଲ୍ଲୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୧୦୩.୪୧ ଟଙ୍କା ଓ ଡିଜେଲ ୯୪.୬୭ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ଭୁବନେଶ୍ୱରରେ ଲିଟର ପିଛା ୧୧୦ ଟଙ୍କା ୩୬ ପଇସା ଓ ଡିଜେଲ ଲିଟର ପିଛା ୧୦୦ ଟଙ୍କା ୧୨ ପଇସା ହୋଇଛି ।
ତେଲକୁ ନେଇ କରାଯାଇଥିବା ପୂର୍ବାନୁମାନ ଏବେ ସତ ହେବାକୁ ଯାଉଛି। ଯଦି ଏପରି ନିୟମିତ ଭାବେ ତୈଳ ଦର ବୃଦ୍ଧି ପାଏ ତେବେ ଏପ୍ରିଲ ଶେଷ ସୁଦ୍ଧା ଗୋଟିଏ ଲିଟର ପେଟ୍ରୋଲ ମୂଲ୍ୟ ୧୨୫ ଟଙ୍କା ପାର ହୋଇଯିବ। ରବିବାର ତୈଳଦର ବୃଦ୍ଧି ପରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୧୧୮.୪୧ ଟଙ୍କା ଏବଂ ଡିଜେଲର ମୂଲ୍ୟ ୧୦୨.୬୪ ଟଙ୍କା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୫ ପଇସା ଲେଖାଏ ବୃଦ୍ଧି ପାଇଛି। ସେହିପରି ଚେନ୍ନାଇରେ ଗୋଟିଏ ଲିଟର ପେଟ୍ରୋଲ ୧୦୮.୯୬ ଟଙ୍କା ଓ ଡିଜେଲ ୯୯.୦୪ ଟଙ୍କାରେ ମିଳୁଛି। କୋଲକାତାରେ ଏହା କ୍ରମଂଶ ୧୧୩.୦୩ ଟଙ୍କା ଓ ୯୭.୮୨ ଟଙ୍କା ରହିଛି। ସାରା ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯାଇଛି। କିନ୍ତୁ ସ୍ଥାନୀୟ ଟିକସ ଉପରେ ନିର୍ଭର କରି ଏହାର ମୂଲ୍ୟ ରାଜ୍ୟରୁ ରାଜ୍ୟରେ ଭିନ୍ନ ଭିନ୍ନ ଅଟେ। କ୍ରିସିଲ ରିସର୍ଚ୍ଚ ଅନୁଯାୟୀ ଆନ୍ତର୍ଜାତୀୟ ତୈଳ ମୂଲ୍ୟର ବୃଦ୍ଧିକୁ ସମ୍ପୂର୍ଣ୍ଣରୂପେ ଦୂର କରିବା ପାଇଁ ଲିଟର ପିଛା ୯ରୁ ୧୨ ଟଙ୍କା ବୃଦ୍ଧି ଆବଶ୍ୟକ। ତୈଳ ଆବଶ୍ୟକତା ପୂରଣ ପାଇଁ ଭାରତ ଆମଦାନୀ ଉପରେ ୮୫ ପ୍ରତିଶତ ନିର୍ଭରଶୀଳ ଅଛି।
ସୂଚନା ଯେ, ଗତବର୍ଷ ନଭେମ୍ବର ଆରମ୍ଭରୁ ଚଳିତବର୍ଷ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ଇନ୍ଧନ ମୂଲ୍ୟ ସ୍ଥିର ରହିଥିଲା, ଯେଉଁଥିରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ଯଥାକ୍ରମେ ୫ ଏବଂ ୧୦ ଟଙ୍କା ହ୍ରାସ କରିଥିଲେ। ବିଭିନ୍ନ କାରଣ ଉପରେ ଆଧାର କରି ଓଏମସି ଗୁଡିକ ପରିବହନ ଇନ୍ଧନ ମୂଲ୍ୟରେ ପରିବର୍ତ୍ତନ କରନ୍ତି। ତେବେ ଗତ ୧୧ ଦିନରେ ରାଜଧାନୀ ଦିଲ୍ଲୀରେ ପୋଟ୍ରୋଲ ରେଟ୍ ୮ ଟଙ୍କା ମହଙ୍ଗା ହୋଇଛି।
ଜାଣନ୍ତୁ ଆପଣଙ୍କ ସହରର ରେଟ୍ :
ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଆରଏସପି ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ ଆଇଓସିଏଲ ୱେବସାଇଟରୁ ପାଇବେ ।
