ଆରମ୍ଭ ହେଲା ନବମ ଶ୍ରେଣୀ ପାଠପଢା
ଭୁବନେଶ୍ୱର : ସୋମବାର ଠାରୁ ଆରମ୍ଭ ହୋଇଛି ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଫଲାଇନ୍ କ୍ଲାସ୍ । ରାଜ୍ୟ ସରକାରଙ୍କ ନିଷ୍ପତି ଅନୁଯାୟୀ ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ନବମ ଶ୍ରେଣୀ ପାଠପଢ଼ା ହୋଇଛି । ନବମ ଶ୍ରେଣୀର ବହୁ ଛାତ୍ରଛାତ୍ରୀ ଅଭିଭାବକଙ୍କ ଠାରୁ ଅନୁମତି ପତ୍ର ନେଇ ବିଦ୍ୟାଳୟକୁ ଆସିଥିଲେ । ପ୍ରବେଶ ପଥରେ ଛାତ୍ରଛାତ୍ରୀଙ୍କ ତାପମାତ୍ରା ମପାଯିବା ସହ ହାତ ସାନିଟାଇଜ କରାଯାଇଥିଲା । ସ୍କୁଲରେ ସମବେତ ପ୍ରାର୍ଥନା କରାଯାଇନଥିବା ବେଳେ ସାମାଜିକ ଦୂରତା ରକ୍ଷା କରି ଛାତ୍ରଛାତ୍ରୀଙ୍କୁ ବସା ଯାଇଥିଲା । ସ୍କୁଲ ଖୋଲିବା ପୂର୍ବରୁ ଶ୍ରେଣୀଗୃହ ଗୁଡିକୁ ସାନିଟାଇଜ୍ ମଧ୍ୟ କରାଯାଇଥିଲା । ବିଦ୍ୟାଳୟରେ କରୋନା କଟକଣା ମଧ୍ୟରେ ଶିକ୍ଷାଦାନ କରାଯାଉଛି ।
ବିଏସଇ, ସିବିଏସଇ ଓ ଆଇସିଏସଇ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ଅନ୍ୟାନ୍ୟ ବୋର୍ଡ ଅନ୍ତର୍ଗତ ସମସ୍ତ ସ୍କୁଲରେ ଆରମ୍ଭ ହୋଇଛି ନବମ ଶ୍ରେଣୀର ପାଠପଢ଼ା । ଛାତ୍ରଛାତ୍ରୀମାନେ ସ୍କୁଲକୁ ଆସି ଖୁସି ଜାହିର କରିଛନ୍ତି । ତେବେ ରବିବାର ଓ ଅନ୍ୟ ଛୁଟିଦିନରେ ପାଠପଢ଼ା ହେବନାହିଁ । ସ୍କୁଲ ଆସିବା ବାଧ୍ୟତାମୂଳକ ହେବନାହିଁ, ବାପାମାଆଙ୍କ ଅନୁମତି ନେଇ ସ୍କୁଲ ଆସିପାରିବେ ଛାତ୍ରଛାତ୍ରୀ । ଅନଲାଇନ ପାଠପଢ଼ା ମଧ୍ୟ ଜାରିରହିବ । ଉଲ୍ଲେଖ୍ୟଯୋଗ୍ୟ ଯେ ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ର ଅଫଲାଇନ୍ ପାଠପଢା ଆରମ୍ଭ ହୋଇସାରିଛି ।
