ନବରାତ୍ରୀର ନବମ ଦିନ! ଆଜି ମା’ଙ୍କ ସିଦ୍ଧିଦାତ୍ରୀ ବେଶ, ଜାଣି ରଖନ୍ତୁ ପୂଜାବିଧି ଓ ନୀତି ନିୟମ
ଶାରଦୀୟ ନବରାତ୍ରୀର ଶେଷ ଦିନରେ ମା’ ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ ରୂପରେ ପୂଜା କରାଯାଏ । ମା’ ଲକ୍ଷ୍ମୀଙ୍କ ଭଳି ସିଦ୍ଧିଦାତ୍ରୀ କମଳ ଉପରେ ବିରାଜମାନ କରନ୍ତି। ମା’ ସିଦ୍ଧିଦାତ୍ରୀଙ୍କ ଚାରି ହସ୍ତ। ମା’ ହସ୍ତରେ ଗଦା, କମଳ, ଶଙ୍ଖ, ଫୁଲ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀ ଦେବୀ ତପସ୍ଵୀର ସ୍ଵରୂପ। ମା’ଙ୍କୁ ସ୍ବତନ୍ତ୍ର ବିଧି ଅନୁସାରେ ପୂଜା କଲେ ମନୋସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଛି । ଯଦି ଆପଣ ନବରାତ୍ରୀରେ ଘରେ ସିଦ୍ଧିଦାତ୍ରୀଙ୍କ ପୂଜା କରୁଛନ୍ତି, ତେବେ ଜାଣି ରଖନ୍ତୁ ପୂଜାର ଶୁଭ ମୂହୁର୍ତ୍ତ, ପୂଜାବିଧି ଓ ନୀତିକାନ୍ତି ।
ଏହିଦିନ ଆପଣ ପ୍ରଥମେ ନିଜ ଘରକୁ ପୂଜା ପୂର୍ବରୁ ଗଙ୍ଗାଜଳରେ ସୁଦ୍ଧ କରନ୍ତୁ। ବ୍ରତଧାରୀମାନେ ସ୍ନାନପରେ ଗୋଲାପୀ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । କାରଣ ଗୋଲାପୀ ରଙ୍ଗର ବସ୍ତ୍ର ପରିଧାନ ଶୁଭ ବୋଲି କୁହାଯାଏ । ଆଠ ଦିନ ଧରି ପୂଜା କରି ଆସୁଥିବା ଦୁର୍ଗାଙ୍କ ଫଟୋ କି ସିଦ୍ଧିଦାତ୍ରୀଙ୍କ ପଟୋରେ ପୂଜା ପୂର୍ବରୁ ଗଙ୍ଗାଜଳ ଛିଞ୍ଚନ କରନ୍ତୁ । ପରେ ମାଆଙ୍କୁ ମାଆଙ୍କୁ କୁଙ୍କୁମରେ ସଜ କରି କିଛି ଫୁଲ ଅର୍ପଣ କରନ୍ତୁ । ପୂଜାର ଶୁଭ ସମୟ ଅକ୍ଟୋବର ୩ ତାରିଖ ୪ଟା ୩୭ ଠାରୁ ଆରମ୍ଭ ହୋଇ ପରଦିନ ଅପରାହ୍ନ ୨.୨୦ ପର୍ଯ୍ୟନ୍ତ ରହିଛି । ସେହିପରି ବ୍ରହ୍ମମୂହୁର୍ତ୍ତ ମଧ୍ୟ ୪.୩୮ ସମୟ ଠାରୁ ଆରମ୍ଙ କରି ୫.୨୭ ପର୍ଯ୍ୟନ୍ତ ରହିଛି । ମାଙ୍କୁ ନଡିଆ, କ୍ଷିରି ଓ ପଞ୍ଚାମୃତ ମଧ୍ୟ ଭୋଗ ଲଗାଇପାରିବେ। ଯାହା ମାଆଙ୍କର ଅତି ପ୍ରିୟ ଭୋଗ । ଏହି ଭୋଗ ଆପଣ ମାଆଙ୍କୁ ଲାଗି କରାଇଲେ ଦେବୀକୃପା ଲାଭ କରିବେ ।
ନବରାତ୍ର ପୂଜା ଅବସରରେ ମହାମାୟା ଦୁର୍ଗାଙ୍କୁ ପ୍ରଥମ ତିନି ଦିନରେ ମାଙ୍କୁ ଦୁଷ୍ଟ ବିନାଶିନୀ ଦୁର୍ଗା ତଥା କାଳୀ ରୂପରେ ପୂଜା କରାଯାଇଥାଏ । ମଝି ତିନି ଦିନରେ ମାଙ୍କୁ ଧନଧନ୍ୟ ତଥା ସମ୍ପଦର ଦେବୀ ଲକ୍ଷ୍ମୀଙ୍କ ରୂପରେ ପୂଜା କରାଯାଏ । ସେହିପରି ଶେଷ ୩ ଦିନରେ ମା ବିଦ୍ୟାଦାତ୍ରୀ ସରସ୍ୱତୀ ଭାବେ ପୂଜା ପାଇଥାନ୍ତି । ନବରାତ୍ରୀର ଶେଷ ଦିନରେ ବିଜୟା ଦଶମୀ ପାଳିତ। ନବମୀ ବିହିତ ପୂଜା କାଳରେ ସର୍ବପ୍ରଥମେ, କଳସ ଏବଂ ଏଥିରେ ସ୍ଥାପିତ ସମସ୍ତ ଦେବତାଙ୍କୁ ପୂଜା କରାଯାଇଥାଏ। ଏହାପରେ ଷୋଡ଼ଶ ଉପଚାର ଅର୍ପଣ କରି ଧ୍ୟାନମନ୍ତ୍ର ପାଠ କରାଯାଏ। ଏହାପରେ ମଧ୍ୟାହ୍ନରେ କୁମାରୀ ପୂଜା ଅନୁଷ୍ଠିତ ହୁଏ। ନଅ ବର୍ଷ ଭିତରେ ଥିବା ନଅ ଜଣ ବାଳିକାଙ୍କ ନବଦୁର୍ଗା ଭାବରେ ସଜ୍ଜିତ କରାଯାଇ ସେମାନଙ୍କ ଚରଣରେ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରାଯାଏ। ମା’ଙ୍କୁ ହାଲୁୱା, ପୁରୀ, କ୍ଷିରି, ବୁଟ, ନଡ଼ିଆ ପ୍ରସାଦ ଅର୍ପଣ କରାଯାଏ । ଏହା ପରେ ମାତାଙ୍କର ବୀଜ ମନ୍ତ୍ର ଜପ କରାଯିବା ବିଧାନ ରହିଛି । ରାତ୍ରରେ ହୋମ ଓ ଉତ୍ସର୍ଗ ବଳି ଅର୍ପଣ ପରେ ନବରାତ୍ର ବ୍ରତ ସମାପନ ହୋଇଥାଏ। ନବ ଦୁର୍ଗାଙ୍କ ମଧ୍ୟରେ ସିଦ୍ଧିଦାତ୍ରୀ ଅନ୍ତିମ ଅଟନ୍ତି ଏବଂ ତାଙ୍କୁ ପୂଜା କରିବା ଦ୍ବାରା ଭକ୍ତମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ।
