ନୀଳଗିରି କଲେଜର ଛାତ୍ର ଅଶାନ୍ତ, ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ
ନୀଳଗିରି : ନୀଳଗିରି କଲେଜର +୩ କଳା ଇଂରାଜୀ ଇଂଟରନାଲ ପରୀକ୍ଷା ଫଳାଫଳକୁ ନେଇ ଲାଗି ରହିଥିବା ଛାତ୍ର ଅଶାନ୍ତ ଶେଷରେ ପ୍ରଶମିତ ହୋଇଛି । ଦୁଇ ଅଧ୍ୟାପକଙ୍କ ବିରୋଧରେ ଆଣିଥିବା ଅଭିଯୋଗ ଏବଂ ଧାରଣାକୁ ଶେଷରେ କର୍ତୁପକ୍ଷ ଓ ଅଧ୍ୟାପକଙ୍କ ପ୍ରତିଶୃତି ପରେ ଘଟଣାର ଅବସାନ ଘଟିଛି । ସୂଚନା ଅନୁସାରେ ନୀଳଗିରି କଲେଜର +୩ ୩ୟ ବର୍ଷ ଇଂରାଜୀ ଇଂଟରନାଲ ପରୀକ୍ଷାର ଫଳାଫଳକୁନେଇ ଦୁଇ ଅଧ୍ୟାପକ ଜାଣିଶୁଣି ଛାତ୍ରଛାତ୍ରୀଙ୍କୁ କମ୍ ମାର୍କ ଦେଇଥିବା ନେଇ କଲେଜ ପରିସରରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଶେଷରେ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷ ଏବଂ ନୀଳଗିରି ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ୧୯ତାରିଖ ବୁଧବାର ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପରେ ଅଧ୍ୟକ୍ଷ ଏବଂ ଇଂରାଜୀ ଅଧ୍ୟାପିକା ଶିଳ୍ପା ମିଶ୍ର ଓ ଅଧ୍ୟାପକ ନଳିନୀକାନ୍ତ ପାଢ଼ୀ ଧାରଣାରତ ଛାତ୍ରଛାତ୍ରୀଙ୍କ ନିକଟକୁ ଆସି ବୁଝାସୁଝା କରିଥିଲେ । ଉଭୟ ଅଧ୍ୟାପକ ଓ ଅଧ୍ୟାପିକା ଫେଳ ଛାତ୍ରଛାତ୍ରୀଙ୍କ ଆଗାମୀ ଫର୍ମ ଫିଲପରେ ଖର୍ଚ୍ଚ ହେବାକୁ ଟଙ୍କା ଉଭୟ ଭରଣା କରିବା ସହ ଏକ୍ସାଟ୍ରା କ୍ଲାସ କରି ପିଲାମାନଙ୍କୁ ପାଠ ପଢ଼ାଇବା ସହ ସମସ୍ତ ବିଷୟ ସଂପୂର୍ଣ୍ଣ କରିବା ସହ ଭବିଷ୍ୟତରେ ଏଭଳି ଘଟଣା ଯେପରି ନ ଘଟେ ସେଥିପ୍ରତି ଉଭୟ ଅଧ୍ୟାପକ ଓ ଅଧ୍ୟକ୍ଷାଙ୍କ ଠାରୁଲିଖିତ ପ୍ରତିଶୃତି ପାଇବା ପରେ ଧାରଣାରତ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ ।
