ନୀଳଗିରିରେ ହେବ ପଥର ଶିଳ୍ପ କରିଡ଼ର; ଜମି ଚିହ୍ନଟ ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଶିଳ୍ପମନ୍ତ୍ରୀ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ପଥର ନୁହାଣ ମୁନରେ ଅତି ସୁନ୍ଦର ଭାବେ ରୂପ ଦେଇ ଗଢ଼ି ତୋଳୁଥିବା ପଥର ଶିଳ୍ପୀଙ୍କ ପାଇଁ ଖୁସିର ଖବର । ଚମକିବ ନୀଳଗିରି ଉପଖଣ୍ଡରେ ଥିବା ପଥର ଶିଳ୍ପ । ଶିଳ୍ପ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଶକ୍ତି ବିଭାଗର ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ଜନ୍ମଦିନ ଅବସରରେ ବୁଧବାର ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଶୈବପୀଠର ଦର୍ଶନ କରିବାକୁ ଆସିଥିବାବେଳେ ଦୀର୍ଘ ଦିନ ଧରି ସନ୍ତରାଗଡି଼ଆ, ବଉଳଗଡ଼ିଆ ଅଞ୍ଚଳର ପଥର ଶିଳ୍ପୀଙ୍କୁ ଉପହାର ସ୍ୱରୂପ ଶିଳ୍ପ କରିଡ଼ର ଘୋଷଣା କରିଛନ୍ତି ।
କେବଳ ଦେଶ ନୁହେଁ ବିଶ୍ୱସ୍ତରରେ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳର ସୁନାମ ରହିଛି । ଏହି ଅଞ୍ଚଳର ଶିଳ୍ପୀମାନେ ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଏହାକୁ ବଞ୍ଚାଇ ରଖିବା ପାଇଁ ପଞ୍ଚଲିଙ୍ଗେଶ୍ୱର ଠାରେ ୧୦ ଏକର ଜାଗାରେ ଏକ ଶିଳ୍ପ କରିଡ଼ର ଏବଂ କ୍ରାଫ୍ଟ ଭିଲେଜ୍ ପାଇଁ ସ୍ଥାନ ଚିହ୍ନଟ କରିବାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଦେବ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଯେତେ ଶୀଘ୍ର ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ସହମତିରେ କ୍ଲଷ୍ଟର ନିର୍ମାଣ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ପୁରୀର ରଘୁରାଜପୁର ପରି କ୍ରାଫ୍ଟ ଭିଲେଜ ପଞ୍ଚଲିଙ୍ଗେଶ୍ୱର ଠାରେ ନିର୍ମାଣ ହେଲେ ଦେଶ ବିଦେଶରେ ଅନେକ ଲୋକ ଗୋଟିଏ ସ୍ଥାନରେ ପଥରର ସୁନ୍ଦର କାରୁକାର୍ଯ୍ୟ ଥିବା ମୂର୍ତ୍ତି ଦେଖିପାରିବେ । ପଥର ଶିଳ୍ପୀମାନେ ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରି ସହିତ ଯୋଡ଼ି ହେବେ ଏବଂ ମେକ୍ ଇନ୍ ଓଡ଼ିଶା ସହିତ ନିଜକୁ ଯୋଡ଼ି ପାରିବା ସହ ସହଜ ଋଣ ମଧ୍ୟ ପାଇପାରିବେ ବୋଲି ମନ୍ତ୍ରୀ କହିଛନ୍ତି । ପଞ୍ଚଲିଙ୍ଗେଶ୍ୱର ଠାରେ ଏକ ୩୩ କେଭି ଗ୍ରୀଡ୍ ସ୍ଥାପନ ପାଇଁ ହୋଇଥିବା ଦାବିକୁ ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେବେ ବୋଲ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ପଞ୍ଚଲିଙ୍ଗେଶ୍ୱର ଶୈବପୀଠ ପରିଦର୍ଶନ ବେଳେ ସ୍ଥାନୀୟ ବିଜେଡି ନେତା ସନ୍ତୋଷ ଖଟୁଆ, ଜିଲା ଯୁବ ବିଜେଡ଼ି ସଭାପତି ତାପସ ପରିଡ଼ା, ଶୁଭେନ୍ଦୁ ମଙ୍ଗରାଜ, ଶୁଭେନ୍ଦୁ ଶେଖର ଜେନା, ମନୋରଞ୍ଜନ ଦାସ, କୈଳାଶ ପଣ୍ଡା, ପୁରସ୍ତମ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
