ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଦାବିରେ ନୀଳଗିରି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କଳା ବ୍ୟାଚ୍ ପିନ୍ଧି ପ୍ରତିବାଦ
ନୀଳଗିରି : ନୀଳଗିରି ଏକ ଅଧିବାସୀ ଅଧ୍ୟୁଷିତ ଅଞ୍ଚଳ । ଏଠାକାର ଅଧିବାସୀ ବ୍ୟୟବହୁଳ ସ୍ୱାସ୍ଥ୍ୟସେବା ପାଇବା ସମ୍ଭବ ନୁହେଁ । ତେଣୁ ଯେକୌଣସି ସ୍ୱାସ୍ଥ୍ୟ ସମସ୍ୟା ହେଲେ ଲୋକେ ନୀଳଗିରି ଉପଖଣ୍ଡ ମେଡ଼ିକାଲ ଉପରେ ନିର୍ଭର କରିଥାଆନ୍ତି । କିନ୍ତୁ ଏଠାରେ କେତେବେଳେ ଚିକିତ୍ସାରେ ଅବହେଳା ତ ପୁଣି କେତେବେଳେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ଲାଗି ବିଭିନ୍ନ ସମୟରେ ବିବାଦରେ ରହିଥାଏ ଉପଖଣ୍ଡ ଚିକିତ୍ସାଳୟ ।
ସୂଚନା ଯେ, ଶନିବାର ପୂର୍ବାହ୍ନରେ ନୀଳଗିରି ସବ୍ଡିଭିଜନରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ଯଥାଶୀଘ୍ର ଆଶୁ ସମାଧାନ ନିମନ୍ତେ ବାଲେଶ୍ୱର ଜିଲା ସରକାରୀ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ନୀଳଗିରି ଶାଖା ପକ୍ଷରୁ ମେଡ଼ିକାଲ୍ ପରିସରରେ ମୁହଁରେ କଳା ବ୍ୟାଚ୍ ପିନ୍ଧି ନୀରବ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୀଳଗିରି ହସପିଟାଲ ସୁପରିଟେଣ୍ଡେଣ୍ଟଙ୍କ ଜରିଆରେ ଏକ ୧୬ଦଫା ଦାବୀପତ୍ର ପ୍ରଦାନ କରାଯାଇଛି । ଦାବିଗୁଡ଼ିକ ଯଥା ନୀଳଗିରି ଡାକ୍ତରଖାନାରେ ସ୍ଥାୟୀ ମେଡିକାଲ ସୁପରିଟେଣ୍ଡେଣ୍ଟ ନିଯୁକ୍ତି ଦିଆଯିବା ସହ ସ୍ଥାୟୀ ଭେଷଜ ଡାକ୍ତର ନିଯୁକ୍ତି, ସମସ୍ତ ନର୍ସ ପଦବୀ ପୂରଣ, ରାତ୍ରିକାଳୀନ ଜଣେ ବିଶେଷଜ୍ଞ ଡାକ୍ତର ଓ ଅନ୍ୟ ଦୁଇଜଣ ଡାକ୍ତର ମିଶାଇ ୩ଜଣ ଡାକ୍ତରଙ୍କୁ କାର୍ଯ୍ୟବଣ୍ଟନ, ଚକ୍ଷୁ ଚିକିତ୍ସା ନିମନ୍ତେ ସାପ୍ତାହିକ ଅନ୍ୟୁନ ୪ଦିନ ଚକ୍ଷୁ ବହିଃର୍ବିଭାଗ ଖୋଲାଯାଉ, ନିଶ୍ଚେତକ ଡାକ୍ତର, ନାସା, କର୍ଣ୍ଣ, ଗଳା ଡାକ୍ତରଙ୍କୁ ନିଯୁକ୍ତି କରାଯାଉ ଓ ସାପ୍ତାହିକ ୪ଦିନ କାର୍ଯ୍ୟ ନିଯୁକ୍ତି, ଅଲଟ୍ରାସାଉଣ୍ଡ ଓ ଇସିଜି ମେସିନ୍ କାର୍ଯ୍ୟକ୍ଷମ, ଇନ୍ଡୋର ୱାର୍ଡ଼ରେ ଯଥାଶୀଘ୍ର ଲିଫ୍ଟ ସଂଯୋଗ, ଡାକ୍ତରମାନଙ୍କ ଉଦ୍ଦେଶ୍ୟରେ ନିର୍ମିତ କ୍ୱାର୍ଟରରେ ଡାକ୍ତରମାନଙ୍କ ରହଣୀକୁ ସୁନିଶ୍ଚିତ, ଡାକ୍ତରଖାନାରେ ଶୃଙ୍ଖଳିତ ବାତାବରଣ ପାଇଁ ପ୍ରୋଗ୍ରାମ ମ୍ୟାନେଜର ସର୍ବ ଡାକ୍ତରଖାନା ପରିସରରେ ରହଣି ପାଇଁ ବ୍ୟବସ୍ଥା, ମିତ୍ରପୁର ଠାରେ ତୁରନ୍ତ ପିଏଚ୍ସି ଖୋଲିବା, ହସ୍ପିଟାଲରେ ହୃଦ୍ରୋଗ ସ୍ନାୟୁରୋଗ, ମୂତ୍ରାଶୟ ରୋଗ ପ୍ରଭୃତି ପାଇଁ ନିୟମିତ ଡାକ୍ତର ନିଯୁକ୍ତି, ସାରା ଜିଲ୍ଲାରେ ସବୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସରକାରୀ ମଞ୍ଜୁରୀ ପ୍ରାପ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନ ପଦବୀ ପୂରଣ, ମେଡିକାଲ କଲେଜର ପ୍ରଚଳିତ ୧୦୦ ସିଟ୍ରୁ ୧୫୦କୁ ବୃଦ୍ଧି, ଏମ୍ସ ସାଟେଲାଇଟ୍ ସେଣ୍ଟର ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ସବୁଦିନ ଆଉଟ୍ଡୋର ଖୋଲା ରଖିବା, ପରୀକ୍ଷା, ନୀରିକ୍ଷା ସହ ଇକୋ କାର୍ଡ଼ିଓଗ୍ରାମ ସ୍ଥାପନ କରିବା, ୨୦୧୮ ମସିହାରୁ ମଞ୍ଜୁରୀପ୍ରାପ୍ତ ଆୟୁଷ ହସପିଟାଲ ନିର୍ମାଣ, ଆୟୁର୍ବେଦିକ ମେଡିକାଲ କଲେଜ ଓ ଔଷଧୀୟ ଉଦ୍ୟାନ ପ୍ରତିଷ୍ଠା କରିବା ପାଇଁ ସରକାରୀ ସ୍ୱୀକୃତି, ସରକାରୀ ନର୍ସିଙ୍ଗ ଓ ଫାର୍ମାସିଷ୍ଟ କଲେଜ ପ୍ରତିଷ୍ଠା ସମସ୍ୟା ଉପରେ ନୀଳଗିରି ଏସ୍ଡିଏମଓ ଡା. ସରୋଜିନି ପ୍ରଧାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
