ନୀଳଗିରିରେ ବିଭିନ୍ନ ସ୍ଥାନରେ ୭୫ତମ ଗଡ଼ଜାତ ମିଶ୍ରମ ପର୍ବ ପାଳିତ
ନୀଳଗିରି : ନୀଳଗିରିରେ ବିଭିନ୍ନ ସ୍ଥାନରେ ୭୫ତମ ଗଡ଼ଜାତ ମିଶ୍ରଣ ପର୍ବ ଉତ୍ସବ ମହାସମାରୋହରେ ପାଳନ କରାଯାଇଅଛି । ନୀଳଗିରି ପୂଜ୍ୟପୂଜା କମିଟି ପକ୍ଷରୁ ୭୫ତମ ଗଡ଼ଜାତ ମିଶ୍ରଣ ଉତ୍ସବ ରତ୍ନାକର ଟାଉନ୍ ହାଇସ୍କୁଲ୍ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ନୀଳଗିରି ବିଧାୟକ ଇଂ. ସୁକାନ୍ତ କୁମାର ନାୟକ ଉପସ୍ଥିତ ରହି ନୀଳଗିରି ହିଁ ପ୍ରଥମ ଗଡ଼ଜାତ ରାଜ୍ୟ ଭାବେ ସ୍ୱାଧିନ ଭାରତରେ ମିଶିଥିବାର ନିଜ ବକ୍ତବ୍ୟରେ ଶାଣିତ କରିଥିଲେ । ବରେଣ୍ୟ ଅତିଥିଭାବେ ନୀଳଗିରି ଉପ-ଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା, ନୀଳଗିରି ପୂର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ, ସମାଜସେବୀ ତାପସ ପରିଡ଼ା, ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ପ୍ରମୁଖ ମଞ୍ଚାସୀନ ରହି ଗଡ଼ଜାତ ମିଶ୍ରଣ ବିଷୟରେ ସବିଶେଷ ଆଲୋକପାତ କରିଥିଲେ ।
୨ୟ ଅର୍ଦ୍ଧ୍ୱରେ ଡାଃ. କୁମାର ମିଶ୍ର, କାଳିପଦ ପଣ୍ଡା ଏବଂ ରତ୍ନାକର ଟାଉନ୍ ହାଇସ୍କୁଲ୍ର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା ମଞ୍ଚାସୀନ ରହି ଗଡ଼ଜାନ ମିଶ୍ରଣ ବିଷୟରେ ଆଲୋଚନା କରିଥିଲେ । ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ମଞ୍ଚ ପରିଚାଳନ କରିଥିଲେ । କମିଟିର ସମ୍ପାଦକ ଅମରେନ୍ଦ୍ର ମହାପାତ୍ର ଓ ସଭାପତି ସଦାଶିବ ରଥ ମଞ୍ଚାସୀନ ଥିଲେ । ସେହିପରି ଗଡ଼ଜାତ ପ୍ରଜାମଣ୍ଡଳ ସ୍ମୃତି ସୁରକ୍ଷା କମିଟି ପକ୍ଷରୁ ଏନ୍.ଏ.ସି. କଲ୍ୟାଣ ମଣ୍ଡପରେ ୭୫ତମ ଗଡ଼ଜାତ ମିଶ୍ରଣ ଉତ୍ସବ ମହାସମାରୋହରେ ପାଳନ ହୋଇଅଛି । ଉକ୍ତ ଉତ୍ସବରେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଂଜନ ଷଢ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ । ନୀଳଗିରି ଗଡ଼ଜାତ ମାଟି ବିପ୍ଳବୀଙ୍କର ମାଟି ବୋଲି ଶ୍ରୀ ଷଢ଼ଙ୍ଗୀ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଭାରତ ବର୍ଷରେ ନୀଳଗିରି ଗଡ଼ଜାତ ପ୍ରଥମେ ସ୍ୱାଧିନ ଭାରତରେ ସାମିଲ ହୋଇଥିଲେ । ଏଥିରେ ହାଡ଼ିବନ୍ଧୁ ରାଜ, କୌଳାସ ହାନ୍ତି, ବନମାଳୀ ଦାସ, ଲକ୍ଷ୍ମୀଧର ମିଶ୍ରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାର ଶ୍ରୀ ଷଢ଼ଙ୍ଗୀ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମନୋରଂଜନ ପଣ୍ଡା, କିଶୋର କୁମାର ଦାଶ, ଦେବାନନ୍ଦ ଦାସ, ନିହାର ରଂଜନ ପରିଡ଼ା, ସୁରେଶ ଦାସ ପ୍ରମୁଖ ମଞ୍ଚାସୀନ ରହି ଗଡ଼ଜାତ ଆନ୍ଦୋଳନ ବାବଦରେ ବକ୍ତବ୍ୟ ରଖିଥିଲେ । ସେହିପରି ଅଯୋଧ୍ୟା ମା’ ମାରିଚି ମନ୍ଦିର ପ୍ରାଙ୍ଗଣରେ ୭୫ତମ ଗଡ଼ଜାତ ମିଶ୍ରଣ ପର୍ବ ପାଳନ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ପରିଷଦ ପକ୍ଷରୁ ୭୫ତମ ଗଡ଼ଜାତ ମିଶ୍ରଣ ଉତ୍ସବ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର ପଞ୍ଚାୟତ ରାଜ ବିଭାଗର ଅତିରିକ୍ତ ଶାସନ ସଚିବ ମହେଶ୍ୱର ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଡାଇରେକ୍ଟର ଗ୍ଲୋବାଲ୍ ଫଣ୍ଡ ଅଡିଟ୍ର ଚନ୍ଦନ ଷଢ଼ଙ୍ଗୀ, ସମ୍ମାନୀତ ଅତିଥିଭାବେ ଉପ-ଜିଲ୍ଲାପାଳ ହରିଶଚନ୍ଦ୍ର ଜେନା, ଏସ୍.ଡି.ପି.ଓ. ରିତେଶ କୁମାର ମହାପାତ୍ର, ମନୋରଂଜ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ଗଡ଼ଜାତ ମିଶ୍ରଣ ଉତ୍ସବ ପାଳନ ଉଦ୍ଦେଶ୍ୟରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ କୁମାର ରାଜ ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ସନ୍ତୋଷ କୁମାର ପରିଡ଼ା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କମଳାକାନ୍ତ ମହାନ୍ତି, ବାମନ ଚରଣ ନାୟକ, ଜୟନ୍ତ ଚୌଧୁରୀ, ଡ. ଗଣେଶ୍ୱର ନାୟକ ସହଯୋଗ କରିଥିବା ବେଳେ ଉପ-ଜିଲ୍ଲାପାଳଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରା ଯାଇଥିଲା ।
