ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ, ଏହି ସମୟରୁ ଆରମ୍ଭ ହେବ ପହଣ୍ତି
ସରିଛି ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ୧୨ ଦିନର ମାନବୀୟ ଲୀଳାଖେଳା ପରେ ଆଜି ଆର୍ଥତ୍ ଶନିବାର ଦିନ ରତ୍ନବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂରତି । ସେପଟେ ୧୨ ଦିନ ଧରି ମାନ କରିଥିବା ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ କାଳିଆ ସାଆନ୍ତ । ତେବେ ଆଜି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଏନେଇ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି ।
ମହାପ୍ରଭୁଙ୍କ ସିଂହଦ୍ବାର ବିଜେ ଲାଗି ନିର୍ଘଣ୍ଟ ହୋଇଥିବା ନୀତି ଅନୁଯାୟୀ, ଭୋଗ ୪ଟାରେ ତିନି ରଥରେ ମଙ୍ଗଳ ଆଳତୀ, ସାଢେ ୪ଟାରେ ମଇଲମ, ତଡ଼ପଲାଗି, ସକାଳ ୫ଟାରେ ଅବକାଶ ନୀତି ପରେ ସକାଳ ସାଢେ ୫ଟାରେ ବେଶ ଶେଷ ହୋଇ, ସକାଳ ସାଢେ ୬ଟାରେ ଗୋପଳବଲ୍ଲଭ ନୀତି ସରିଛି । ୭ଟାରୁ ୮ଟା ସକାଳଧୂପ, ସାଢେ ୧୦ଟାରୁ ସାଢେ ୧୧ଟା ମଧ୍ଯାହ୍ନଧୂପ, ପୂର୍ବାହ୍ନ ୧୧ଟା ୪୫ରୁ ୧୨ ମଧ୍ଯରେ ମଇଲମ ଓ ବେଶ, ୧୨ଟା ୧୫ରେ ସଂଧ୍ୟାଆଳତି, ଅପରାହ୍ନ ସାଢେ ୧୨ଟାରୁ ଗୋଟାଏ ମଧ୍ଯ ସଂଧ୍ୟାଧୂପ ନୀତି ଅନୁଷ୍ଠିତ ହେବ। ଏହାପରେ ଅପରାହ୍ନ ସାଢେ ୧ଟାରୁ ସାଢେ ୩ଟା ଭିତରେ ତିନି ରଥରେ ଚାରବନ୍ଧା ସରିବା ପରେ ସାଢେ ୩ଟାରେ ସିଂହାସନ ମାଜଣା କରାଯିବ । ପରେ ୩ଟା ୫୦ ମିନିଟ୍ ରେ ପୁଷ୍ପାଞ୍ଜଳି ପରେ ଅପରାହ୍ନ ୪ଟାରେ ପହଣ୍ତି ଆରମ୍ଭ ହେବ। ତେବେ ରାତି ୧୦ଟା ସୁଦ୍ଧା ପହଣ୍ତି ଶେଷ ହେବା ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ । ରାତି ୧୨ଟା ସୁଦ୍ଧା ରୁନ୍ଧା ସରିବା ପରେ ୧ରୁ ଦଇତାପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ତୁଆ, ଚାରମାଳ ଫିଟା ନୀତି ଅନୁଷ୍ଠିତ ହେବ । ଏହାପରେ ରାତି ପ୍ରାୟ ସାଢେ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବା ପରେ ଶ୍ରୀମୁଖ ଖଣ୍ତୁଆ ମଇଲମ, ରାତି ୨ଟା ୪୫ ମିନିଟ୍ ରେ ଚକା ପୋଛା, ରାତି ୩ଟାରେ ସିଂହାସନ ଧୁଆ, ରାତି ୩ଟା ୧୦ ମିନିଟ୍ ସୁଦ୍ଧା ମାଧବ, ଶ୍ରୀଦେବୀ, ଭୂଦେବୀ ସିଂହାସନକୁ ବିଜେ ପରେ ସାଢେ ୩ଟାରେ ମହାସ୍ନାନ ଶେଷ ହେବ । ପରେ ରାତି ୩ଟା ୩୫ ମିନିଟ୍ ରେ ରୋଷହୋମ, ମଇଲମ, ୩ଟା ୪୫ ମିନିଟ୍ ରେ ଚନ୍ଦନଲାଗି, ୪ଟାରେ ସୂର୍ଯ୍ୟପୂଜା, ୪ଟା ୧୫ରେ ଦ୍ବାରପାଳ ପୂଜା, ବଡ଼ ସିଂହାର ବେଶ, ୪ଟା ୪୫ ମିନିଟ୍ ରେ ବଡ଼ ସିଂହାର ଭୋଗ ହୋଇ ସକାଳ ୫ଟାରେ ରାତ୍ର ପହୁଡ଼ ହେବ ।
ପ୍ରକାଶ ଥାଉ କି, ଶୁକ୍ରବାର ଦିନ ମହାପ୍ରଭୁଙ୍କ ଅଧରପଣା ନୀତି ଦେଖିବା ଲାଗି ଜନ ସମୁଦ୍ର ପାଲଟିଥିଲା ବଡ଼ଦାଣ୍ତ । ଚଣ୍ତିଚାମୁଣ୍ତା, ଅଶରୀରୀମାନଙ୍କୁ ତୃପ୍ତ କରିବା ପାଇଁ ରଥାରୂଢ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଅଧରପଣା (Adharapana 2023) ପୂଜା ନୀତି ସମ୍ପନ୍ନ ହୋଇଛି । ତିନି ରଥ ଉପରେ ତିନି ଠାକୁରଙ୍କ ଅଧର ଉଚ୍ଚର ୯ଟି ହାଣ୍ତିରେ ପଣା ଲାଗି ପରେ ରଥ ଉପରେ ଅଧରହାଣ୍ତିକୁ ଭାଙ୍ଗି ଚଣ୍ତିଚାମୁଣ୍ତା, ଅଶରୀରୀଙ୍କ ଉଦ୍ଦେଶ୍ୟରେ ପଣା ଉତ୍ସର୍ଗ କରାଯାଇଛି ।
