ଆଜି ରସଗୋଲା ଦିବସ, ମହାଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନ ଭଞ୍ଜନ କରିବେ କାଳିଆ ସାଆନ୍ତ
ନବଦିନାତ୍ମକ ଯାତ୍ରା ଓ ୧୨ ଦିନର ମାନବୀୟ ଲୀଳାଖେଳା ପରେ ଶନିବାର ଦିନ ରତ୍ନବେଦୀକୁ ବିଜେ କରିବେ ଶ୍ରୀଜିଉ । ସେପଟେ ମାନ କରିଥିବା ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ କାଳିଆ ସାଆନ୍ତ । ତେବେ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ କୁ ରସଗୋଲା ଦିବସ ଭାବେ ପାଳନ କରିଥାଆନ୍ତି ଓଡି଼ଶାବାସୀ । ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ୯ ଦିନ ଜନ୍ମବେଦୀଙ୍କୁ ଯାଇଥିବାରୁ ମାନ କରିଥାଆନ୍ତି ଲକ୍ଷ୍ମୀ ସାଆନ୍ତାଣୀ । ପରମ୍ପରା ଅନୁଯାୟୀ, ନୀଳାଦ୍ରି ବିଜେ ଦିନ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥାଆନ୍ତି ଜଗତ ଠାକୁର । ତେଣୁ ଖାସ ଦିନରେ ଶ୍ରୀକ୍ଷେତ୍ରରେ ରସଗୋଲା, ଛେନା ତାଡ଼ିଆ ଆଦି ଭକ୍ତଙ୍କ ଦ୍ବାରା ଭୋଗ କରାଯାଇଥାଏ ।
ଶ୍ରୀ ଜଗନ୍ନାଥ ସଂସ୍କୃତିରେ, କେବଳ ନୀଳାଦ୍ରି ବିଜେ ଦିନ ହିଁ ରସଗୋଲା ଭୋଗ ହେବା ନେଇ ପରମ୍ପରା ରହିଛି । ମହାପ୍ରଭୁ ପହଣ୍ତି ବିଜେରେ ଭିତର କାଠ ସମ୍ମୁଖ ଭଣ୍ତାର ଘରଠାରେ ପହଁଞ୍ଚବା ପରେ ରୁକ୍ମିଣୀ ବିବାହ କାଳର ଗଇଁଠାଳ ଫିଟେ । ବନ୍ଦାପନା ପରେ ରସଗୋଲା ଭୋଗ ଭିତରଚ୍ଛ ମହାପାତ୍ରାଙ୍କ ଦ୍ବାରା ସମାହିତ ହୁଏ । ପରେ ଘସା, ବିଡ଼ିଆ, ମଣୋହି ଶେଷ ହେବା ପରେ ମହାପ୍ରଭୁ ରତ୍ନବେଦୀକୁ ବିଜେ କରନ୍ତି । ପ୍ରକାଶ ଥାଉ କି, ଭୋଗ ହେଉଥିବା ରସଗୋଲା ଭିତରଚ୍ଛ ମହାପାତ୍ରା ନିଜ ଘରେ ଅତ୍ୟନ୍ତ ଶୁଦ୍ଧପୂତ ସହ ତିଆରି କରିଥାଆନ୍ତି । ଏହାପରେ ଭେଟ ମଣ୍ତପରେ ଭିତରଚ୍ଛ ମହାପାତ୍ରାଙ୍କ ଘରୁ ଆସିଥିବା ଏହି ରସଗୋଲା ଦେଇ ଲକ୍ଷ୍ମୀ ସାଆନ୍ତାଣିଙ୍କ ମାନଭଞ୍ଜନ କରିଥାଆନ୍ତି କାଳିଆ ସାଆନ୍ତ । ଏହି ଅବସରରେ ଭକ୍ତ ରଥାରୂଢ ଶ୍ରୀଜିଉଙ୍କ ନିକଟରେ ରସଗୋଲା ଭୋଗ କରିବାର ପରମ୍ପରା ରହିଛି । ଏହି ଦିନ ଶ୍ରୀକ୍ଷେତ୍ର ପୁରୀର (Puri) ବିଭିନ୍ନ ମଠ ପକ୍ଷରୁ ମଧ୍ଯ ରସଗୋଲ ଭୋଗ କରାଯାଇଥାଏ ।
ସେପଟେ ଆଜି ହେଇଛି ମହାପ୍ରଭୁ ପତିତପାବନ ଯାତ୍ରାର ଅନ୍ତିମ ଦିନ। ନିଳକନ୍ଦରକୁ ବାହୁଡି଼ବେ ମହାବାହୁ। ଏଣୁ ରଥାରୂଢ ଶ୍ରୀଜିଉଙ୍କ ନିକଟରେ ଚାଲିଛି ମଙ୍ଗଳ ଆଳତୀ ମଇଲମ ଅବକାଶ ଆଦି ଦୈନନ୍ଦିନ ନିତିକାନ୍ତି। ମହାପ୍ରଭୁଙ୍କ ଘୋଷଯାତ୍ରାର ଅନ୍ତିମ ପର୍ବ ନିଳାଦ୍ରୀ ବିଜେ ହୋଇଥିବାରୁ ସମସ୍ତ ନିତୀକାନ୍ତିକୁ ଶୃଙ୍ଖଳିତ ଭାବେ କରିବା ନେଇ ଶ୍ରୀମନ୍ଦିର ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ମହାପ୍ରଭୁଙ୍କ ପହଣ୍ଡି ନିର୍ଦ୍ଧାରିତ ସମୟ ପୂର୍ବରୁ କରିବା ପାଇଁ ପଦକ୍ଷେପ ନିଆଯାଇଛି । ସେପଟେ ଯଦି ସଅଳ ପହଣ୍ଡି ହୁଏ ତେବେ ମହାପ୍ରଭୁଙ୍କ ରତ୍ନ ସିଂହାସନରେ ପହୁଡ଼ କରାଯିବ। ସଂଧ୍ୟାଧୂପ ପରେ ଚାରମାଳ ବନ୍ଧା ସରିବା ପରେ ସାଢେ ୩ଟାରେ ସିଂହାସନ ମାଜଣା କରାଯିବ। ପରେ ୩ଟା ୫୦ ମିନିଟ୍ ରେ ପୁଷ୍ପାଞ୍ଜଳି ପରେ ଅପରାହ୍ନ ୪ଟାରେ ପହଣ୍ତି ଆରମ୍ଭ ହେବ। ତେବେ ରାତି ୧୦ଟା ସୁଦ୍ଧା ପହଣ୍ତି ଶେଷ ହେବା ପରେ ରୁନ୍ଧା କାର୍ଯ୍ୟ ସମାପନ ହେବ । ରାତି ୧୨ଟା ସୁଦ୍ଧା ରୁନ୍ଧା ସରିବା ପରେ ୧ରୁ ଦଇତାପତି ସର୍ବାଙ୍ଗ, ଶ୍ରୀମୁଖ ଖଣ୍ତୁଆ, ଚାରମାଳ ଫିଟା ନୀତି ଅନୁଷ୍ଠିତ ହେବ ।
ଏହାପରେ ରାତି ପ୍ରାୟ ସାଢେ ୨ଟାରେ ସୁଦର୍ଶନ ସିଂହାସନକୁ ବିଜେ କରିବା ପରେ ଶ୍ରୀମୁଖ ଖଣ୍ତୁଆ ମଇଲମ, ରାତି ୨ଟା ୪୫ ମିନିଟ୍ ରେ ଚକା ପୋଛା, ରାତି ୩ଟାରେ ସିଂହାସନ ଧୁଆ, ରାତି ୩ଟା ୧୦ ମିନିଟ୍ ସୁଦ୍ଧା ମାଧବ, ଶ୍ରୀଦେବୀ, ଭୂଦେବୀ ସିଂହାସନକୁ ବିଜେ ପରେ ସାଢେ ୩ଟାରେ ମହାସ୍ନାନ ଶେଷ ହେବ । ପରେ ରାତି ୩ଟା ୩୫ ମିନିଟ୍ ରେ ରୋଷହୋମ, ମଇଲମ, ୩ଟା ୪୫ ମିନିଟ୍ ରେ ଚନ୍ଦନଲାଗି, ୪ଟାରେ ସୂର୍ଯ୍ୟପୂଜା, ୪ଟା ୧୫ରେ ଦ୍ବାରପାଳ ପୂଜା, ବଡ଼ ସିଂହାର ବେଶ, ୪ଟା ୪୫ ମିନିଟ୍ ରେ ବଡ଼ ସିଂହାର ଭୋଗ ହୋଇ ସକାଳ ୫ଟାରେ ରାତ୍ର ପହୁଡ଼ ହେବ ।
