ରାତି ତାପମାତ୍ରା ବୃଦ୍ଧି, ଗ୍ରୀଷ୍ମଋତୁ ପରି ଗରମ ଅନୁଭୂତ
ଭୁବନେଶ୍ବର : ରାଜ୍ୟରେ ଶୀତ ଗାଏବ ହୋଇଯାଇଥିବା ବେଳେ ରାତି ତାପମାତ୍ରାରେ ଅସ୍ବାଭାବିକ ବୃଦ୍ଧି ହେଉଛି । ଗ୍ରୀଷ୍ମଋତୁ ପରି ରାତିରେ ଗରମ ଅନୁଭୂତ ହେଉଛି। ସାଧାରଣତଃ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟରେ ହାଡ଼ଭଙ୍ଗା ଶୀତ ହୋଇଥାଏ, କିନ୍ତୁ ଏ ବର୍ଷ ସାମୁଦ୍ରିକ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବାହ କରୁଥିବାରୁ କୁହୁଡି ପଡିବା ସହ ସର୍ବନିମ୍ନ ତାପମାତ୍ରା ବଢୁଛି। ସେହିପରି ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୬ରୁ ୮ଡିଗ୍ରୀ ଅଧିକ ରହୁଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ପାରଦ ୫ ଡିଗ୍ରୀରୁ ଅଧିକ ରହୁଛି ।
ଭୁବନେଶ୍ବର ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ଏବର୍ଷ କମ ତୁଷାରପାତ ଯୋଗୁଁ ଉତ୍ତର ପଶ୍ଚିମ ବାୟୁର ପ୍ରଭାବ ଓଡ଼ିଶାରେ କମ୍ ପଡିଛି। ଏଥିପାଇଁ ଓଡ଼ିଶାରେ ଶୀତ ପରିମାଣ କମ୍ ରହିଛି।
ସୂଚନା ଯେ, ବୁଧବାର ରାଜ୍ୟର କିଛି ସ୍ଥାନରେ ରାତିର ତାପମାତ୍ରା ଅସ୍ୱାଭାବିକ ଭାବେ ବଢିଛି । ଚାନ୍ଦବାଲିରେ ୨୨ଡିଗ୍ରୀ, ପାରାଦୀପରେ ୨୩.୨, ଗୋପାଳପୁରରେ ୨୧.୫, ପୁରୀରେ ୨୪, ଖୋର୍ଦ୍ଧାରେ ୨୧ ଓ ଜଗତସିଂହପୁରରେ ୨୦.୧ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଏ ସବୁ ସ୍ଥାନରେ ରାତିରେ କ୍ୱଚିତ୍ ଶୀତ ଅନୁଭୂତ ହୋଇଛି । ସେହିଭଳି ଅଧିକାଂଶ ଜିଲ୍ଲାରେ ଦିନ ତାପମାତ୍ରା ୩୦ ଡିଗ୍ରୀ ଉପରେ ଥିଲା ।
