ରାଜ୍ୟରୁ ହଟିଲା ନାଇଟ୍ କର୍ଫ୍ୟୁ, ୟୋଲୋ ଜୋନରେ ଗୋଟିଏ ଜିଲା
ଭୁବନେଶ୍ୱର: ରାଜ୍ୟରେ ଗତ କଛି ଦିନ ହେବ କୋରୋନା ଗ୍ରାଫ ଖସିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋରୋନା କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ନାଇଟ କର୍ଫ୍ୟୁ ହଟିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ଘୋଷଣା କରିଛନ୍ତି।
ରାଜ୍ୟରେ ଆଉ ନାଇଟ କର୍ଫ୍ୟୁ ରହିବ ନାହିଁ। ଶୁକ୍ରବାର ଠାରୁ ସମସ୍ତ ସହରାଞ୍ଚଳରୁ ନାଇଟ୍ କର୍ଫ୍ୟୁ ହଟିଲା। କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ କର୍ଫ୍ୟୁ ହଟିବା ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ରାତି ୧୦ରୁ ସକାଳ ୫ଟା ଯାଏ ଚାଲିଥିଲା ନାଇଟ୍ କର୍ଫ୍ୟୁ। ଏହି କର୍ଫ୍ୟୁ ହଟାଇବା ପରେ ସାଧାରଣ ଜନତାଙ୍କ ବ୍ୟତୀତ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିକ ମାତ୍ରାରେ ଉପକୃତ ହେବେ। ନିକଟରେ କୋରୋନା କଟକଣା କୋହଳ କରିବାକୁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ପରାମର୍ଶ ଦେଇଥିଲେ। ତେବେ ଅନ୍ୟାନ୍ୟ କଟକଣା ପୂର୍ବ ପରି ଜାରି ରହିବ। ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ବିବାହ ଉତ୍ସବ, ସାମାଜିକ, ରାଜନୈତିକ ଓ ଧାର୍ମୀକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସର୍ବ ସାଧାରଣରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ବାଧ୍ୟତା ମୂଳକ କରାଯାଇଛି। ପଞ୍ଚାୟତ ନିର୍ବାତନ ପାଇଁ ଜନସାଧାଣଙ୍କ ତୁଳନାରେ ରାଜନୈତିକ ଦଳ ଗୁଡିକୁ କୋରୋନା କଟକଣାରେ ରିହାତି ଦିଆଯାଇଛି। ବିବାହରେ ମାତ୍ର ୧୦୦ କିନ୍ତୁ ରାଜନୈତିକ ସଭା ସମିତି ପାଇଁ ୩୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ସୂଚନା ଯେ, ରାଜ୍ୟରେ ଶୁକ୍ରବାର ଦିନକରେ ଆଉ ୬୭୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୫ ଜୀବନ ନେଇଛି। ଆକ୍ଟିଭ୍ ମାମଲାରେ କେବଳ ଖୋର୍ଦ୍ଧା ଜିଲା ୟେଲୋ ଜୋନରେ ଅଛି।
