ଭୁଶୁଡ଼ିଲା ନିର୍ମାଣଧୀନ କୋଠା, ଶତାଧିକ ନିଖୋଜ
ଲାଗୋସ : ନାଇଜେରିଆର ଲାଗୋସରେ ଥିବା ଏକ ନିର୍ମାଣଧୀନ କୋଠା ହଠାତ ଭୁଶୁଡ଼ିଲା। ଏହା ତଳେ ପ୍ରାୟ ଶତାଧିକ ଶ୍ରମିକ ଚାପି ହୋଇଯାଇଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଗୋଟିଏ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୩ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି।
ଜୀବନ ବଞ୍ଚାଇପାରିଥିବା ଶ୍ରମିକମାନେ କହିଛନ୍ତି ଯେ କୋଠାଟି ଭୁଶୁଡ଼ିବା ସମୟରେ ସମ୍ଭବତ ଭିତରେ ୧୦୦ଜଣ ଲୋକ କାମ କରୁଥିଲେ। ତେବେ ସୂଚନା ପାଇ ଏବେ ଉଦ୍ଧାରକାରୀ ଦଳ ଭିତରେ ଚାପି ହୋଇଥିବା ଶ୍ରମିକଙ୍କୁ ଖୋଜିବା ଆରମ୍ଭ କରିଛନ୍ତି। ଲାଗୋସ୍ ରାଜ୍ୟ ସରକାର କହିଛନ୍ତି ଯେ, ଏହି କୋଠାରେ ୨୨ମହଲା ରହିଥିଲା। କୋଠାଟି ଭୁଶୁଡିବା ପରେ ନିକଟସ୍ଥ ଅଟ୍ଟାଳିକାରେ କୌଣସି କ୍ଷୟକ୍ଷତି ହୋଇଛି କି ନାହିଁ ତାହା କର୍ତ୍ତୃପକ୍ଷ ଆକଳନ କରୁଛନ୍ତି। ଦେଖିବାକୁ ଗଲେ ଆଫ୍ରିକାର ସବୁଠାରୁ ଜନବହୁଳ ଦେଶ ନାଇଜେରିଆରେ କୋଠା ଭୁଶୁଡ଼ିବା ଅତି ସାଧାରଣ। ଏଠାରେ କୋଠା ନିର୍ମାଣ ନେଇ ନିୟମାବଳୀ କଡ଼ା ନଥିବା ବେଳେ ନିର୍ମାଣ ସାମଗ୍ରୀର ମାନ ଭଲ ନଥାଏ।
