ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ଇନିଂସ ଓ ୨୭୬ ରନରେ ଜିତିଲା ନ୍ୟୁଜିଲ୍ୟାଣ୍ଡ
କ୍ରୀଷ୍ଟଚର୍ଚ୍ଚ : ଘରୋଇ ମାଟିରେ ଜଲୱା ଦେଖାଇଲା ଟେଷ୍ଟ ବିଶ୍ୱ ବିଜେତା ନ୍ୟୁଜିଲୟାଣ୍ଡ । ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ କ୍ୱିୱି ଟିମ୍ ଇନିଂସ ଓ ୨୭୬ ରନ୍ରେ ଜିତି ନେଇଛି । ପ୍ରଥମ ଇନିଂସରେ ମ୍ୟାଟ ହେନରୀ କମାଲ କରିଥିବା ବେଳେ ଦ୍ୱିତୀୟ ଇନିଂସ୍ରେ ଅଭିଜ୍ଞ ଟିମ୍ ସାଉଦିଙ୍କ ଘାତିକ ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକା ଆତ୍ମସମର୍ପଣ କରିଛି ।
ସେ ୫ ୱିକେଟ ଦଖଲ କରିବାରୁ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ତା’ ଦ୍ୱିତୀୟ ଇନିଂସରେ ମାତ୍ର ୧୧୧ ରନ୍ କରି ଅଲଆଉଟ ହୋଇଯାଇଛି । ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ମ୍ୟାଟ ହେନରୀ ମ୍ୟାନ ଫ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି । ସେ ଏହି ମ୍ୟାଚ୍ରେ ମୋଟ ୯ଟି ୱିକେଟ ଦଖଲ କରିଛନ୍ତି । ପ୍ରଥମ ଇନିଂସରେ ସେ ୨୩ ରନ୍ ଦେଇ ୭ ସଫଳତା ପାଇଥିଲେ । ସେହିପରି ଦ୍ୱିତୀୟ ଇନିଂସରେ ମଧ୍ୟ ୨ଟି ୱିକେଟ ଦଖଲ କରିଛନ୍ତି । ଏଥିସହ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସ୍ରେ ସେ ୧୧ନଂରେ ବ୍ୟାଟିଂ କରିବାକୁ ଆସି ୫୮ ରନ୍ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ଆଜି ଯାଏ କେବେ ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ୍ ଜିତି ନାହିଁ । କିନ୍ତୁ ଏଥର ଦଳ ପାଖରେ ସିରିଜ୍ ଜିତିବାର ସୁଯୋଗ ରହିଛି । ଦୁଇ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍କୁ ନ୍ୟୁଜିଲ୍ୟାଣ୍ଡ ସହଜରେ ଜିତି ନେଇଥିବାରୁ ଦ୍ୱିତୀୟ ଟେଷ୍ଟରେ ଦଳ ଚାପ ମୁକ୍ତ ହୋଇ ଖେଳିବ । ଏଥିସହ ଘରୋଇ ମାଟିରେ ଇତିହାସ ସୃଷ୍ଟି କରିବା ଆଶାରେ ମୈଦାନକୁ ଓହ୍ଲାଇବ ।
ମ୍ୟାଚ୍ କଥା ବିଚାରକୁ ନେଲେ ନ୍ୟୁଜିଲ୍ୟାଣ୍ଡର କାମଚଳା ଅଧିନାୟକ ଟମ ଲାଥମ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତି ନେଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକାର ବ୍ୟାଟର୍ସମାନେ କ୍ୱିୱି ଟିମ୍ର ବୋଲିଂକୁ ସାମ୍ନା କରି ନ ପାରି ପ୍ରଥମ ଇନିଂସରେ ମାତ୍ର ୯୫ ରନ୍ କରିପାରିଥିଲେ । ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସରେ ୪୮୨ ରନ୍ କରିଥିଲା । ଦଳ ପକ୍ଷରୁ ହେନରୀ ନିକୋଲ୍ସ ୧୦୫, ଟମ ବ୍ଲଣ୍ଡେଲ ୯୬ ଓ ମ୍ୟାଟ ହେନରୀ ୫୮ ରନ୍ର ଇନିଂସ ଖେଳିଥିଲେ । ନ୍ୟୁଜିଲ୍ୟାଣ୍ଡ ଅଲଆଉଟ ହେବା ପରେ ଦକ୍ଷିଣ ଆଫ୍ରିକା ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା । ତେବେ ପୁଣିଥରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଟେମ୍ବା ଭାବୁମା(୪୧) ଓ କାୟେଲ ଭେରନା(୩୦)ଙ୍କୁ ଛାଡ଼ି ଦେଲେ ଆଉ କେହି ବି ନ୍ୟୁଜିଲ୍ୟାଣ୍ଡ ବୋଲରଙ୍କୁ ସାମ୍ନା କରିପାରି ନଥିଲେ । ଶେଷରେ ଦଳ ତା’ର ଦ୍ୱିତୀୟ ଇନିଂସରେ ୧୧୧ ରନ୍ କରି ଅଲଆଉଟ ହୋଇଯାଇଥିଲା । କ୍ୱିୱି ଟିମ୍ ପକ୍ଷରୁ ସାଉଦି ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ହେନରୀ ଓ ୱାଗନର ୨ଟି ଲେଖାଏ ସଫଳତା ପାଇଛନ୍ତି । ସେହିପରି କାୟେଲ ଜାମିସନଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି ।
