ନ୍ୟୁଜିଲାଣ୍ଡକୁ ମିଳିଲା ଆଉ ଜଣେ ଦୁର୍ଦ୍ଦଶ ବ୍ୟାଟସମ୍ୟାନ୍ ଡେଭନ୍ କନଓ୍ୱେ
ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡକୁ ମିଳିଲା ଆଉ ଜଣେ ଦୁର୍ଦ୍ଦଶ ବ୍ୟାଟସମ୍ୟାନ୍ ଡେଭନ୍ କନଓ୍ୱେ । ଦିନିକିଆ, ଟେଷ୍ଟ୍ ଓ ଟି୨୦, ସବୁ ଫର୍ମାଟ ଖେଳିବାରେ ସେ ଧୁରନ୍ଧର । ଆଭରେଜ ବି ଜବରଦସ୍ତ । କମ୍ ମ୍ୟାଚ୍ ଖେଳିଥିଲେ ବି ଅନେକ ସମୟରେ ପାଲଟିଛନ୍ତି ମ୍ୟାଚ୍ ଓ୍ୱିନର୍ । ଦଳକୁ ଦେଇଛନ୍ତି ସ୍ମରଣୀୟ ବିଜୟ ।
ନଭେମ୍ବର ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ କନଓ୍ୱେ । କେବଳ ଗୋଟିଏ ବର୍ଷରେ ସେ ଦଳରେ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ସ୍ଥାନ ।ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଟି୨୦ ମ୍ୟାଚ୍ ଖେଳି କ୍ୟାରିଅର ଆରମ୍ଭ କରିଥିଲେ ସେ । ଏହି ମ୍ୟାଚରେ ସେ ମାତ୍ର ୨୯ ବଲରୁ ୪୧ ରନ୍ କରିଥିଲେ ।ଏବେସୁଦ୍ଧା ସେ ୨୦ଟି ଟି୨୦ରୁ ୫୦.୧୬ ହାରରେ ୬୦୨ ରନ୍ ହାସଲ କରିଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ୧୩୯.୩୫ରୁ ଅଧିକ ରହିଛି । ସର୍ବାଧିକ ସ୍କୋର ରହିଛି ୯୯ ।
କେବଳ ତିନୋଟି ଦିନିକିଆ ମୁକାବିଲା ଖେଳିଛନ୍ତି କାନଓ୍ୱେ । ହାସଲ କରିଛନ୍ତି ୨୨୫ ରନ୍ । ଆଭରେଜ୍ ରହିଛି ୭୫ । ଏଥିରେ ଗୋଟିଏ ଶତକ ଓ ଗୋଟିଏ ଅର୍ଧଶତକ ସାମିଲ ରହିଛି । ସେହିପରି ଲର୍ଡସରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଏହି କିଓ୍ୱି ବ୍ୟାଟର୍ । ଏବେସୁଦ୍ଧା ୪ଟି ଟେଷ୍ଟରୁ ସେ ୬୪.୨୫ ହାରରେ ୫୧୪ ରନ୍ କରିଛନ୍ତି । ଦୁଇଟି ଶତକ ଓ ଦୁଇଟି ଅର୍ଧଶତକ ମଧ୍ୟ ସେ ହାସଲ କରିଛନ୍ତି । ଟେଷ୍ଟ୍ କ୍ରିକେଟରେ ସବୁଠାରୁ ଅଧିକ ଆଭରେଜର ରେକର୍ଡ ସାର୍ ଡନ୍ ବ୍ରାଡମ୍ୟାନଙ୍କ ନାଁରେ ରହିଛି । ସେ ୫୨ଟି ଟେଷ୍ଟରୁ ୯୯.୯୪ ଆଭରେଜରେ ୬୯୯୬ ରନ୍ କରିଥିଲେ । ଏବେକାର କ୍ରିକେଟରଙ୍କ ମଧ୍ୟରେ ଟେଷ୍ଟରେ ସବୁଠାରୁ ଭଲ ଆଭରେଜ ଅଷ୍ଟ୍ରେଲିଆନ ବ୍ୟାଟସମ୍ୟାନ୍ ଷ୍ଟିଭ୍ ସ୍ମିଥଙ୍କ ରହିଛି । ସେ ୮୧ଟି ଟେଷ୍ଟ ମ୍ୟାଚରୁ ୬୦.୬୦ ଆଭରେଜରେ ରନ୍ କରିଛନ୍ତି । କଙ୍ଗାରୁ ବ୍ୟାଟସମ୍ୟାନ୍ ମାର୍ଣ୍ଣସ୍ ଲାବୁସେନ୍ ୨୨ଟି ମୁକାବିଲା ଖେଳି ୫୮.୬୭ ଆଭରେଜରେ ୨୧୭୧ ରନ୍ କରିଛନ୍ତି ।
