ମ୍ୟାଚ ଆରମ୍ଭ ପୂର୍ବରୁ ପାକିସ୍ତାନ ଗସ୍ତ ବାତିଲ କଲା ନ୍ୟୁଜିଲାଣ୍ଡ
ଅକଲାଣ୍ଡ : ଅନ୍ତର୍ଜାତୀୟ କ୍ରିକେଟ ଜଗତରେ ଆଜି ପାକିସ୍ତାନ ଏକ ଅତି ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛି । ପାକିସ୍ତାନ ଗସ୍ତରେ ଥିବା ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ମ୍ୟାଚ ଆରମ୍ଭ ହେବାର ଅଳ୍ପ କିଛି ସମୟ ପୂର୍ବରୁ ହିଁ ଗସ୍ତ ବାତିଲ କରି ଫେରିଯିବାକୁ ନିଷ୍ପତ୍ତି ନେଇଛି । ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଟସ୍ ପଡିବା ପୂର୍ବରୁ ପଡିଆକୁ ଓହ୍ଲାଇବାକୁ ମନା କରି ଦେଇଛି। ପୁଣି କିଛି ସମୟ ପରେ ନ୍ୟୁଜିଲାଣ୍ଡ ପାକିସ୍ତାନ ଗସ୍ତ ବାତିଲ୍ କରିଛି। ଗସ୍ତ ବାତିଲ୍ ହେବା ପାକିସ୍ତାନ ଗାଲରେ ଶକ୍ତ ଚାପୁଡା ବାଜିବା ପରି ହୋଇଛି। ଏହି ଗସ୍ତ ବାତିଲ୍ ହେବା ପରେ ଶୀଘ୍ର କିଓ୍ଵି ଖେଳାଳିଙ୍କୁ ପାକିସ୍ତାନରୁ ଫେରାଇ ନେବାକୁ ବନ୍ଦୋବସ୍ତ କରାଯାଉଛି। ନ୍ୟୁଜିଲାଣ୍ଡ କ୍ରିକେଟ୍ର ମୁଖ୍ୟ କାର୍ଯ୍ୟକାରୀ ଡେଭିଡ୍ ହ୍ଵାଇଟ୍ କହିଛନ୍ତି, ଆମକୁ ନିଜ ସରକାରଙ୍କଠୁ ଯେଉଁ ପରାମର୍ଶ ମିଳିଛି, ସେହି ଅନୁସାରେ ଗସ୍ତ ଜାରି ରଖିବା ସମ୍ଭବ ନଥିଲା। ସେ କହିଛନ୍ତି ଆମର ଏହି ନିଷ୍ପତ୍ତିରେ ପାକିସ୍ତାନକୁ ବହୁବ ବଡ ଝଟକା ଲାଗିଥିବ। ମାତ୍ର ଖେଳାଳିଙ୍କ ସୁରକ୍ଷା ଆମ ପାଇଁ ସର୍ବୋପରି।
ସୂଚନା ଯେ, ୩ଟି ଦିନିକିଆ ଓ ୫ଟି ଟି୨୦ ଖେଳିବାକୁ ନ୍ୟୁଜିଲାଣ୍ଡ ଦଳ ପାକିସ୍ତାନ ଆସିଥିଲା । ଆଜି ଅର୍ଥାତ ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ ଦିନିକିଆ ଖେଳାଯିବାକୁ ଥିଲା । କିନ୍ତୁ ମ୍ୟାଚ ଆରମ୍ଭ ହେବାର ଅଳ୍ପ କିଛି ସମୟ ପୂର୍ବରୁ ହିଁ ଗସ୍ତ ବାତିଲ କରି ଫେରିଯିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ । ସୁରକ୍ଷା କାରଣରୁ ନ୍ୟୁଜିଲାଣ୍ଡ ଏହି ନିଷ୍ପତ୍ତି ନେଇଥିବା ଜଣାଇଛି । ଏପରିକି ଏହି ଗସ୍ତ କାର୍ଯ୍ୟକ୍ରମକୁ ବଞ୍ଚାଇବାକୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ନିଜେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡନଙ୍କ ସହ ଫୋନରେ କଥା ହୋଇଥିଲେ ବି ନିରାଶ ହୋଇଥିଲେ । ସୁରକ୍ଷା କାରଣରୁ ଗସ୍ତ ବାତିଲ କରିବା ଛଡ଼ା ଅନ୍ୟ କୌଣସି ଉପାୟ ନଥିଲା ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡର ଚିଫ ଏକଜକ୍ୟୁଟିଭ ଡେଭିଡ୍ ହ୍ବାଇଟ କହିଛନ୍ତି । ସେ କହିଛନ୍ତି ଯେ ପାକିସ୍ତାନ ଏକ ଭଲ ଆୟୋଜକ ଦେଶ ହୋଇଥିଲେ ଖେଳାଳିଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି ।
ଏନେଇ ପିସିବି ନିଜ ବିବୃତିରେ କହିଛି ଯେ, ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ପାକିସ୍ତାନ ସରକାର ସମସ୍ତ ଭ୍ରମଣକାରୀ ଦଳ ପାଇଁ ସୁରକ୍ଷାର ବ୍ୟାପକ ବ୍ୟବସ୍ଥା କରିଥାଏ। ଆମେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳକୁ ମଧ୍ୟ ସୁରକ୍ଷାର ଆଶ୍ଵାସନା ଦେଇଥିଲୁ। ପାକିସ୍ତାନ ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତସ୍ତରରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିଲେ। ଇମ୍ରାନ ଏହା ମଧ୍ୟ ଆଶ୍ଵସନା ଦେଇଥିଲେ ଯେ, ଆମ ପାଖରେ ସର୍ବଶ୍ରେଷ୍ଠ ଗୁଇନ୍ଦା ବିଭାଗ ରହିଛି ଏବଂ ଭ୍ରମଣକାରୀ ଦଳ ପାଇଁ କୌଣସି ପ୍ରକାରର ସୁରକ୍ଷାରେ ବିପଦ ନାହିଁ। ପିସିବି କହିଛି, ନ୍ୟୁଜିଲାଣ୍ଡ ଦଳ ସହ ଆସିଥିବା ସୁରକ୍ଷା ଅଧିକାରୀ ମଧ୍ୟ ଏଠାକାର ସୁରକ୍ଷା ବ୍ୟବସ୍ଥାରେ ସନ୍ତୋଷ ବ୍ୟକ୍ତ କରିଥିଲେ।
