ରାଜଧାନୀରେ ନୂଆ ରୂପରେ ‘ପିସିଆର ଭ୍ୟାନ’! ସହାୟତା ପାଇଁ ଲେଖା ହେଲା ୧୧୨
ଭୁବନେଶ୍ୱର: ବର୍ତମାନ ପୁଲିସର ୨୪ ଘଂଟିଆ ଜରୁରୀ କାଳୀନ ସେବା ଟେଲିଫୋନ ନମ୍ବର ୧୦୦ ପରିବର୍ତେ ୧୧୨ କାର୍ଯ୍ୟକାରୀ ହୋଇଛି । କୌଣସି ଆପଦକାଳୀନ ପରିସ୍ଥିତି ଯଥା ତତ୍କାଳୀନ ପୁଲିସର ସାହାଯ୍ୟ, ଅଗ୍ନିକାଣ୍ଡ, ରୋଗୀସେବା ଇତ୍ୟାଦି ପାଇଁ ଏହି ୧୧୨କୁ ଯୋଗାଯୋଗ କଲେ ତୁରନ୍ତ ସେବା ଉପଲବ୍ଧ ହୋଇପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ କ୍ୟାପିଟାଲ ଥାନା, ଲିଙ୍ଗରାଜ ଥାନା, ସହିଦନଗର ଥାନା ଖଣ୍ଡଗିରି ଥାନା ଓ ନୟାପଲ୍ଲୀ ଥାନାକୁ ଗୋଟିଏ ଲେଖାଏଁ ନୂତନ ‘ପିସିଆର ଭ୍ୟାନ’ ଯୋଗାଇ ଦିଆଯାଇଛି । ଏହି ‘ପିସିଆର ଭ୍ୟାନ’ରେ ପୁଲିସ ସହାୟତା ପାଇଁ ୧୧୨ ନମ୍ବର ଲେଖାଯାଇଛି । ଏଥିରେ ପାଟ୍ରୋଲିଂ କରୁଥିବା ପୁଲିସ କର୍ମଚାରୀମାନଙ୍କ ପାଇଁ ଅତ୍ୟାଧୁନିକ ଉପକରଣ ଉପଲବ୍ଧ ରହିଛି । ନୂଆ ରୂପରେ ଏହି ‘ପିସିଆର ଭ୍ୟାନ’ ରାଜଧାନୀରେ ଲୋକଙ୍କ ସେବା ଯୋଗାଇ ଦେବ ବୋଲି ପୁଲିସ କମିଶନରେଟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ପରବର୍ତି ପର୍ୟ୍ୟାୟରେ ଅନ୍ୟ ସମସ୍ତ ଥାନାକୁ ଏହି ନୂତନ ଗାଡି ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।
