ଆଇଏସଆଇର ନୂଆ ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ ନଦୀମ ଅଞ୍ଜୁମ
ଇସ୍ଲାମାବାଦ : ଲେଫ୍ଟନାଣ୍ଟ ଜେନେରାଲ ନଦୀମ ଅଞ୍ଜୁମ ପାକିସ୍ତାନ ଗୁଇନ୍ଦା ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସୀ (ଆଇଏସଆଇ)ର ନୂଆ ମୁଖ୍ୟ ନିଯୁକ୍ତ ହୋଇଛନ୍ତି। ନୂତନ ମହାନିର୍ଦ୍ଦେଶକ (ଡିଜି) ନିଯୁକ୍ତି ନେଇ ଆଇଏସଆଇ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛନ୍ତି। ଏହି ପଦୋନ୍ନତୀ ପୂର୍ବରୁ ଅଞ୍ଜୁମ କରାଚୀସ୍ଥିତ ଭି କର୍ପସ୍ର କର୍ପସ୍ କମାଣ୍ଡର ଅବସ୍ଥାପିତ ଥିଲେ। ପୂର୍ବରୁ ସେ ପାକିସ୍ତାନ ସୀମାନ୍ତ କର୍ପସରେ ଇନିସପେକ୍ଟର ଜେନେରାଲ (ଆଇଜି) ଭାବେ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ଆଫଗାନିସ୍ତାନରେ ତାଲିବାନ ସରକାରଲାଗି ପାକିସ୍ତାନ ଓକିଲାତି କରୁଥିବା ବେଳେ ଲେଫ୍ଟନାଣ୍ଟ ଜେନେରାଲ ଅଞ୍ଜୁମଙ୍କ ନିଯୁକ୍ତିକୁ ଏବେ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଏପର୍ଯ୍ୟନ୍ତ ଆଇଏସଆଇ ମୁଖ୍ୟଥିବା ଫୈଜ ହମ୍ମୀଦ ଗତମାସରେ କାବୁଲ ଗସ୍ତ କରି ତାଲିବାନ ମୁଖ୍ୟଙ୍କୁ ଭେଟିବା ସହ ଦେଶରେ ଅନ୍ତରୀଣ ସରକାର ସ୍ଥାପନା କରାଇଥିଲେ। ଯଦି ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ଏପର୍ଯ୍ୟନ୍ତ ଆଇଏସଆଇ ମୁଖ୍ୟ ଦାୟିତ୍ୱ ତୁଲାଇଥିବା ଫୈଦ ହମ୍ମୀଦ ହୁଏତ ପାକ୍ ସେନା ମୁଖ୍ୟ ଲାଗି ଆଗାମୀ ଦାବିଦାର ହୋଇପାରନ୍ତି।
ପାକିସ୍ତାନ ସେନାମୁଖ୍ୟ ଜନେରାଲ କମର ବାଜୱାଙ୍କ ଚାକିରୀରୁ ଅବସର ହୋଇସାରିଛି। ତେବେ କାର୍ଯ୍ୟକାଳ ସମ୍ପ୍ରସାରଣ କରି ଇମ୍ରାନ ସରକାର ତାଙ୍କୁ ସେନାମୁଖ୍ୟ ରଖିଥିବା ବେଳେ ନଭେମ୍ବର ୨୦୨୨ରେ ସେ ଅବ୍ୟହତି ନେବେ। ଏଣୁ ଏବେ ସ୍ଥାୟୀ ସେନାମୁଖ୍ୟଙ୍କ ଆବଶ୍ୟକତା ଦେଖା ଦେଇଛି। ଏଥିପାଇଁ ପାକିସ୍ତାନ ସେନାର ୩ ବରିଷ୍ଠ ଅଧିକାରୀ ଦୌଡରେ ଥିବା ବେଳେ ଏମାନଙ୍କ ସହ ହମ୍ମିଦ ମଧ୍ୟ ସାମିଲ ହୋଇଯାଇଛନ୍ତି। ତେବେ ଏଥିପାଇଁ ସେନାରେ ତାଙ୍କର ବର୍ଷକର ଅଭିଜ୍ଞତା ଜରୁରି। ଏ କ୍ଷେତ୍ରରେ ବାଜୱାଙ୍କ ଆବସର ପୂର୍ବରୁ ହମ୍ମୀଦ ନିଜକୁ ପ୍ରସ୍ତୁତ କରିନେଇପାରନ୍ତି ବୋଲି ଆଶା କରାଯାଉଛି। ତେବେ ଆଇଏସଆଇ ମୁଖ୍ୟପଦରୁ ହଟିବା ପରେ ଲେଫ୍ଟନାଣ୍ଟ ଜେନେରାଲ ହମ୍ମିଦଙ୍କୁ ପେଶାୱରସ୍ଥିତ ପାକିସ୍ତାନ ସେନା ଏକାଦଶ କର୍ପଙ୍କ କର୍ପ କମାଣ୍ଡର ନିଯୁକ୍ତ କରାଯାଇଛି। ଏଥିରୁ ପାକ୍ ସେନାମୁଖ୍ୟ ଭାବେ ଅନ୍ୟ ଦାବିଦାରଙ୍କ ଅପେକ୍ଷା ହୁଏତ ତାଙ୍କୁ ଅଧିକ ଗୁରୁତ୍ୱ ଦେଇପାରେ। ଖୈବର ପୁକ୍ତନଖ୍ୱା (କେପିକେ)ରେ ମୁତୟନ ପାକିସ୍ତାନ ସେନାର ଏହି ଡିଭିଜନ ଦେଶର ଏକମାତ୍ର ଡିଭିଜନ। ଦେଶର ଉତ୍ତରାଞ୍ଚଳରେ ପ୍ରଶାସନିକ ସୈନ୍ୟ ପରିଚାଳନା ଲାଗି ଏହି ଡିଭିଜନକୁ ୧୯୭୫ ମସିହାରେ ସ୍ଥାପନା କରାଯାଇଥିଲା।
