ନିଟ୍ ୟୁଜି ପରୀକ୍ଷା ଫଳ : ରାଜସ୍ଥାନର ତନିସ୍କା ଦେଶରେ ଟପ୍ପର
ନୂଆଦିଲ୍ଲୀ : ନିଟ୍ ୟୁଜି ପରୀକ୍ଷା ଫଳ ପ୍ରକାଶ ପାଇଛି । ଅଣ୍ଡର ଗ୍ରାଜୁଏଟ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ହୋଇଥିବା ନ୍ୟାସନାଲ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ପରୀକ୍ଷା ଫଳ ପ୍ରକାଶ ପାଇଛି । ୨୦୨୨ ନିଟ୍ ପରୀକ୍ଷାଫଳ ସହ ଏନଟିଏ ଅନ୍ତିମ ନିଟ୍ ଉତର ପତ୍ର ଓ ସର୍ବଭାରତୀୟ ରାଙ୍କ ପ୍ରକାଶ ପାଇଛି । ରାଜସ୍ଥାନର ତନିଷ୍କା ଦେଶରେ ଟପର ହୋଇଛନ୍ତି । ସେହିପରି ୯୯ ଦଶମିକ ୯୯ ପର୍ସଂଟାଇଲ୍ ସ୍କୋର ରଖି ଓଡ଼ିଶାରୁ ସୋମଦତ୍ତ ନାୟକ ପ୍ରଥମ ହୋଇଛନ୍ତି । ଦେଶର ୩୯ ତମ ରାଙ୍କରେ ରହିଛନ୍ତି ସୋମଦତ୍ତ ।
ଚଳିତ ବର୍ଷ ଓଡ଼ିଆ ଭାଷାରେ ୮୨୨ ଜଣ ପରୀକ୍ଷା ଦେବା ପାଇଁ ପଞ୍ଜିକରଣ କରିଥିଲେ । ଓଡ଼ିଶାରୁ ୪୪ ହଜାର ୯୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ବେଳେ ୪୩ ହଜାର ୮୦ ଜଣ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରୁ ୨୬ ହଜାର ୨୭୯ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଗତବର୍ଷ ତୁଳନାରେ ଏଥର ଓଡ଼ିଶାର ପିଲାମାନେ ଭଲ ପ୍ରଦର୍ଶନ କରିଛନ୍ତି । ୨୦୨୧ରେ ୩୮ ହଜାର ୯୪୫ ଜଣ ପରୀକ୍ଷା ଦେଇଥିବା ବେଳେ ୨୦ ହଜାର ୬୫୪ ଜଣ ପାସ କରିଥିଲେ । ଦେଶର ଶ୍ରେଷ୍ଠ ୧୦ ଜଣ ଦିବ୍ୟାଙ୍ଗ ଛାତ୍ରଙ୍କ ମଧ୍ୟରେ ଓଡ଼ିଶାର ଦୁଇ ଜଣ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ପ୍ରୀତମ ଗୋଛାୟତ ଓ ୫ମ ସ୍ଥାନରେ ଚନ୍ଦନ ଦାସ ରହିଛନ୍ତି ।
