କର୍ତ୍ତବ୍ୟରେ ଅବହେଳା : ନିଲମ୍ବିତ ହେଲେ ବିଂଝାରପୁର ଥାନା ଏସଆଇ
ଭୁବନେଶ୍ୱର : ନିଲମ୍ବିତ ହେଲେ ବିଂଝାରପୁର ଥାନା ଏସ୍ଆଇ କଣ୍ଡୁରି ଚରଣ ଦାସ। ବଗମରା ବାଲିଘାଟରେ ବୋମା ଫିଙ୍ଗି ହତ୍ୟା ଘଟଣାରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି।
ସୂଚନା ଯେ, ଗତ ଗୁରୁବାର ସନ୍ଧ୍ୟାରେ ଯାଜପୁର ଜିଲା ବିଂଝାରପୁର ଥାନା ଅଧୀନ ଫତେପୁର ପଞ୍ଚାୟତର ମନେଇ ବାଲିଘାଟର ଲିଜଧାରୀ ସୁରେନ୍ଦ୍ର ଦାଶ(୪୭)ଙ୍କର ବୋମା ମାଡ଼ରେ ମୃତ୍ୟୁ ହୋଇଛି। ତାଙ୍କ ଘର କଲ୍ୟାଣପୁର ଗାଁରେ। ସୁରେନ୍ଦ୍ରଙ୍କୁ ଏକାକୀ ବାଲିଘାଟରେ ପାଇ ଟେରା ମଲ୍ଲିକ ୨/୩ଟି ବୋମାମାଡ଼ କରିଥିବାର ଅଭିଯୋଗ ହୋଇଥିଲା। ଏଥିରେ ସୁରେନ୍ଦ୍ର ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସରେ ବିଂଝାରପୁର ଡାକ୍ତରଖାନାକୁ ଅଣାଯାଇଥିଲା। ସୁରେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସଙ୍ଗେସଙ୍ଗେ ଯାଜପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସୁରେନ୍ଦ୍ରଙ୍କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ।
