ନୀରଜ ଚୋପ୍ରା ସମ୍ମାନ ଜଣାଇଲା ଭାରତୀୟ ଡାକ ବିଭାଗ, ସ୍ଥାପିତ ହେଲା ସୁନାର ପୋଷ୍ଟ ବକ୍ସ
ନୂଆଦିଲ୍ଲୀ : ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ ନୀରଜ ଚୋପ୍ରା । ତାଙ୍କର ଏହି ଗୌରବରେ ଆଜି ବି ସାରା ଦେଶ ଗର୍ବୀତ । ଏହାସହ ତାଙ୍କୁ ସମ୍ମାନ ଜଣାଇଛି ଭାରତୀୟ ଡାକ ବିଭାଗ । ହରିୟାଣାର ପାନିପତର ନୀରଜ ଚୋପ୍ରା ଗାଁରେ ଏକ ଗୋଲଡେନ ରଙ୍ଗର ପୋଷ୍ଟ ବକ୍ସ ଲଗାଯାଇଛି । ଯେଉଁଥିରେ ନୀରଜଙ୍କ ନାମ ମଧ୍ୟ ଲେଖାଯାଇଛି ।
ଏହି ପୋଷ୍ଟ ବକ୍ସର ଚିତ୍ର ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି । ଅନେକ ଅଧିକାରୀ ଏବଂ ପ୍ରଶଂସକ ମଧ୍ୟ ଏହି ଛବି ସେୟାର କରିଛନ୍ତି । ଯେଉଁଥିରେ ଭାରତୀୟ ଡାକ ବିଭାଗ ଦ୍ୱାରା ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଛି । ନୀରଜ ଚୋପ୍ରାଙ୍କ ସମ୍ମାନାର୍ଥେ ହରିୟାଣାର ଖଣ୍ଡାରା ଗ୍ରାମରେ ଥିବା ଏହି ସୁବର୍ଣ୍ଣ ରଙ୍ଗର ପୋଷ୍ଟ ବକ୍ସରେ ଲେଖାଯାଇଛି ଶ୍ରୀ ନୀରଜ କୁମାର ଜାଭେଲିନ ସ୍ୱର୍ଣ୍ଣ ପଦକ ବିଜେତା, ଏହା ଆପଣଙ୍କ ଉଦ୍ଦେଶ୍ୟରେ । ଆଉ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଲୋକେ ଏହାକୁ ଖୁବ ପସନ୍ଦ କରୁଛନ୍ତି । ନୀରଜ ଚୋପ୍ରା ନିଜେ ବର୍ତ୍ତମାନ ଆମେରିକାରେ ଅଛନ୍ତି । ଯେଉଁଠାରେ ସେ ପ୍ୟାରିସ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ନିକଟରେ ନୀରଜ ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଥିଲେ, ଯେଉଁଥିରେ ସେ ଜିମରେ ପ୍ରବଳ ପରିଶ୍ମର କରୁଥିବା ନଜର ଆସିଥିଲା । ସୂଚନା ଥାଉକି, ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରା ଟୋକିଓ ଅଲିମ୍ପିକ୍ସରେ ୮୭.୮୫ ମିଟର ଭାଲା ପକାଇ ଇତିହାସ ସୃଷ୍ଟି କରିଥିଲେ । ଏକ ବ୍ୟକ୍ତିଗତ ସ୍ତରର କ୍ରୀଡ଼ାରେ ଭାରତ ପାଇଁ ଅଲିମ୍ପିକ୍ ସ୍ୱର୍ଣ୍ଣ ଜିତିବାରେ ଦ୍ୱିତୀୟ ଖେଳାଳି ହୋଇଥିଲେ ନୀରଜ ।
