ନୀରଜ ଚୋପ୍ରା ଓ ପ୍ରମୋଦ ଭଗତ ପାଇବେ ଖେଳରତ୍ନ!
- ଚଳିତବର୍ଷ ପାଇଁ ୧୧ ଜଣଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଏବଂ ୩୫ ଜଣଙ୍କୁ ଅର୍ଜୁନ୍ ପୁରସ୍କାର ପାଇଁ ନାମ ସୁପାରିଶ କଲା କମିଟି
ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ଓଡ଼ିଶା ପ୍ରମୋଦ ଭଗତଙ୍କ ସମେତ ୧୧ ଜଣଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ ସଂପର୍କରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହା ସହିତ କ୍ରିକେଟିୟର ଶିଖର ଧୱନଙ୍କ ସମେତ ମୋଟ ୩୫ ଜଣ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ । ଟୋକିଓ ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଓଡ଼ିଆ ପୁଅ ପ୍ରମୋଦ ଭଗତ ରାଜ୍ୟବାସୀଙ୍କ ପାଇଁ ଆଣିଛନ୍ତି ଆଉ ଏକ ବଡ଼ ଖୁସି ଖବର । ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନ ଚାନ୍ଦ ‘ଖେଳ ରତ୍ନ’ ପୁରସ୍କାର ପାଇବେ ପ୍ରମୋଦ ଭଗତ । ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ବୁଧବାର ପ୍ରମୋଦଙ୍କ ନାଁ ସୁପାରିସ୍ କରିଛି । ଏଥିସହ ପ୍ରମୋଦ ପ୍ରଥମ ଓଡ଼ିଆ କ୍ରୀଡ଼ାବିତ୍ ଭାବେ ‘ଖେଳ ରତ୍ନ’ ପୁରସ୍କାର ପାଇବେ । ଏହା ପୂର୍ବରୁ କୌଣସି ଓଡ଼ିଆଙ୍କୁ ‘ଖେଳ ରତ୍ନ’ରେ ସମ୍ମାନିତ କରାଯାଇନଥିଲା । କେବଳ ପ୍ରମୋଦ ନୁହଁନ୍ତି, ତାଙ୍କ ସମେତ ଚଳିତ ବର୍ଷ ମୋଟ ୧୧ଜଣଙ୍କ ନାଁ ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ପାଇଁ ସୁପାରିସ୍ କରାଯାଇଛି । ଅର୍ଥାତ୍ ଏଥର ରେକର୍ଡ ୧୧ ଜଣ ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ ହେବେ । ଗତବର୍ଷ ୫ ଜଣଙ୍କୁ ‘ଖେଳ ରତ୍ନ’ ପୁରସ୍କାର ମିଳିଥିଲା ।
‘ଖେଳ ରତ୍ନ’ ପାଇବାକୁ ଥିବା ବାକି କ୍ରୀଡ଼ାବିତ୍ ହେଲେ ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରା, ରେସଲର୍ ରବି ଦାହିୟା, ଭାରତୀୟ ହକି ଦଳର ଗୋଲକିପର ପିଆର୍ ଶ୍ରୀଜେଶ, ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍, ଫୁଟବଲର ସୁନୀଲ ଛେତ୍ରୀ, ମହିଳା କ୍ରିକେଟର୍ ମିତାଲୀ ରାଜ, ଆଥଲେଟ୍ ସୁମିତ୍ ଅନ୍ତିଲ୍, ପାରା ଶୁଟର୍ ଅବନୀ ଲେଖରା, ପାରା ବ୍ୟାଡମିଂଟନ୍ ଖେଳାଳି କ୍ରିଷ୍ଣା ନାଗର ଓ ପାରା ଶୁଟର୍ ଏମ୍ ନରୱାଲ୍ । ସେହିପରି ଚଳିତ ବର୍ଷ ୩୫ ଜଣ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ଜାତୀୟ କ୍ରୀଡ଼ା ପୁରସ୍କାର କମିଟି ଏମାନଙ୍କ ନାଁ କ୍ରୀଡ଼ା ମନ୍ତ୍ରାଳୟକୁ ପଠାଇ ଦେଇଛି । ୨୦୨୧ ବର୍ଷ ଭାରତୀୟ କ୍ରୀଡ଼ା ଜଗତ ପାଇଁ ବେଶ୍ ସ୍ମରଣୀୟ ବର୍ଷ । ଭାରତୀୟ କ୍ରୀଡ଼ାବିତ୍ ଭାବେ ଉଭୟ ଟୋକିଓ ଅଲିମ୍ପିକ୍ସ ଓ ଟୋକିଓ ପାରାଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଥିଲେ । ଚଳିତ ବର୍ଷ ଟୋକିଓରେ ଆୟୋଜିତ ପାରାଲିମ୍ପିକ୍ସରେ ପ୍ରମୋଦ ପୁରୁଷ ସିଙ୍ଗଲ୍ସ ଏସଏଲ୍-୩ ବ୍ୟାଡମିଂଟନ ଇଭେଂଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ପାରାଲିମ୍ପିକ୍ସ ପୂର୍ବରୁ ପ୍ରମୋଦଙ୍କ ନାଁ ‘ଖେଳ ରତ୍ନ’ ପାଇଁ ସୁପାରିସ୍ କରାଯାଇଥିଲା । ସେହିପରି ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଜାଭେଲିନ୍ ଥ୍ରୋ’ରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ସେ ଭାରତର ପ୍ରଥମ କ୍ରୀଡ଼ାବିତ୍ ଭାବେ ଅଲିମ୍ପିକ୍ସର ଆଥଲେଟିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ସୂଚନା ଯେ, ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶର କ୍ରୀଡ଼ାବିତ୍ ମାନଙ୍କୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ‘ଖେଳରତ୍ନ ପୁରସ୍କାର’ର ନାଁ ବଦଳାଇ ଦିଆଯାଇଥିଲା । ପୂର୍ବରୁ ଏହାକୁ ‘ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର’ କୁହାଯାଉଥିବା ବେଳେ ଏବେ ଏଥିରୁ ରାଜୀବ ଗାନ୍ଧୀଙ୍କ ନାଁକୁ ହଟାଇ ଦିଆଯାଇଥିବା ବେଳେ ଏବେ ଏହାକୁ ‘ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର’ ନାଁରେ ନାମିତ କରାଯାଇଥିଲା ।
