ଏନସିଆରବି ରିପୋର୍ଟ : ଜୀବନ ନେଉଛି ମାନସିକ ଅବସାଦ, ରେକର୍ଡ ସ୍ତରରେ ଆତ୍ମହତ୍ୟା ମାମଲା
ନୂଆଦିଲ୍ଲୀ : ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି)ର ତଥ୍ୟରୁ ଜଣାପଡିଛି ଯେ, ଗତବର୍ଷ ଦେଶରେ ବ୍ୟବସାୟୀଙ୍କ ଆତ୍ମହତ୍ୟା ମାମଲା ୨୦୧୯ ତୁଳନାରେ ୫୦ ପ୍ରତିଶତ ବୃଦ୍ଧି ପାଇଛି। ଯେକୌଣସି ବର୍ଗରେ ଏହି ସଂଖ୍ୟା ସର୍ବାଧିକ ଅଟେ। ଗତବର୍ଷ ଦେଶର ଚାଷୀଙ୍କ ଅପେକ୍ଷା ଅଧିକ ବ୍ୟବସାୟୀ ଆତ୍ମହତ୍ୟା କରିଥିଲେ। କୋରୋନା କାରଣରୁ ୨୦୨୦ରେ ଅନେକ ବ୍ୟବସାୟୀଙ୍କୁ ବହୁ କ୍ଷତି ସହିବାକୁ ପଡିଲା। ରିପୋର୍ଟ ଅନୁସାରେ, ଦେଶରେ ଆତ୍ମହତ୍ୟା ମାମଲାରେ ୧୦ ପ୍ରତିଶତ (ଲକ୍ଷେ ୫୩ ହଜାର ୫୨) ବୃଦ୍ଧି ପାଇଛି। ଏହା ସର୍ବକାଳିନ ରେକର୍ଡ ଭାଙ୍ଗିଛି। କୋରୋନା କାରଣରୁ ୨୦୨୦ରେ ଛୋଟ ବ୍ୟବସାୟ ବହୁଳ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱାସ କରାଯାଉଥିଲା ଯେ ଫସଲ ନଷ୍ଟ ଏବଂ ଋଣ ଭାର ଯୋଗୁଁ କୃଷକମାନେ ଅଧିକ ଆତ୍ମହତ୍ୟା କରନ୍ତି। କିନ୍ତୁ ତାଙ୍କ ଠାରୁ ବ୍ୟବସାୟୀମାନେ କମ୍ ଚାପଗ୍ରସ୍ତ ନୁହଁନ୍ତି। କୋରୋନା ସେମାନଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି। କୋରୋନା ଅବଧିରେ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଲକଡାଇନ ଅବଧି ପରିସ୍ଥିତିକୁ ଆହୁରି ଖରାପ କରିଦେଇଥିଲା।
୨୦୧୯ ତୁଳନାରେ ବ୍ୟବସାୟୀମାନେ ୨୦୨୦ରେ କୃଷକଙ୍କ ଅପେକ୍ଷା ଅଧିକ ଆତ୍ମହତ୍ୟା କରିଥିଲେ। ୨୦୨୦ରେ, ୧୯ ହଜାର ୬୭୭ ଜଣ କୃଷକ ଆତ୍ମହତ୍ୟା କରିଥିବା ବେଳେ ସମାନ ଅବଧିରେ ୧୧ ହଜାର ୭୧୬ ଜଣ ବ୍ୟବସାୟୀ ଆତ୍ମହତ୍ୟା କରିଥିଲେ। ଏଥିରେ ୪୩୫୬ ଜଣ ବ୍ୟବସାୟୀ ଓ ୪୨୨୬ ଜଣ ବିକ୍ରେତା ଥିଲେ। ୨୦୧୯ ତୁଳନାରେ ୨୦୨୦ରେ ବ୍ୟବସାୟୀ ଗୋଷ୍ଠୀରେ ଆତ୍ମହତ୍ୟା ମାମଲା ୨୯ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବ୍ୟବସାୟ ସହିତ ଯଡିତ ବ୍ୟକ୍ତିଙ୍କ ଆତ୍ମହତ୍ୟା ମାମଲାରେ ୪୯.୯ ପ୍ରତିଶତ ବୃଦ୍ଧି ହୋଇଛି। ଜଣେ ବ୍ୟବସାୟୀ କିମ୍ବା ବ୍ୟବସାୟ ସହିତ ସମ୍ପୃକ୍ତ ବ୍ୟକ୍ତି ଜଣେ ଦକ୍ଷ ଶ୍ରମିକ ଯିଏ ଏକ ନିର୍ଦ୍ଦିଷ୍ଟ ବାଣିଜ୍ୟ (ବୃତ୍ତି କିମ୍ବା କାର୍ଯ୍ୟ କ୍ଷେତ୍ର)ରେ ବିଶେଷଜ୍ଞ। ବ୍ୟବସାୟୀମାନେ ସାଧାରଣତଃ କାର୍ଯ୍ୟର ଅଭିଜ୍ଞତା, ଚାକିରିରେ ତାଲିମ ଏବଂ ପ୍ରାୟତଃ ଆନୁଷ୍ଠାନିକ ଧନ୍ଦାମୂଳକ ଶିକ୍ଷା ପାଇଥାନ୍ତି। ମହାରାଷ୍ଟ୍ରରେ ବ୍ୟବସାୟୀଙ୍କ ଆତ୍ମହତ୍ୟା ମାମଲା ସର୍ବାଧିକ ୧୪.୨ ପ୍ରତିଶତ ରେକର୍ଡ କରାଯାଇଛି। ଏହା ତାମିଲନାଡୁରେ ୧୧.୭ ପ୍ରତିଶତ, କର୍ଣ୍ଣାଟକରେ ୯.୭ ପ୍ରତିଶତ, ପଶ୍ଚିମବଙ୍ଗରେ ୮.୨ ପ୍ରତିଶତ ଏବଂ ମଧ୍ୟପ୍ରଦେଶରେ ୭.୮ ପ୍ରତିଶତ ରେକର୍ଡ କରାଯାଇଛି।
