ନକ୍ସଲଙ୍କ ତାଲିବାନୀ ବର୍ବରତା : ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା ପରେ ଘରକୁ ବୋମାରେ ଉଡ଼ାଇଦେଲେ
ପାଟନା : ବିହାରର ଗୟା ଜିଲା ମୁଖ୍ୟାଳୟ ଠାରୁ ୭୦ କିଲୋମିଟର ଦୂରରେ ଥିବା ଡୁମରିଆ ବ୍ଲକର ମାଉନୱାର ଗ୍ରାମରେ ମାଓବାଦୀମାନେ ଦୁଇ ମହିଳାଙ୍କ ସମେତ ଚାରି ଜଣଙ୍କୁ ହତ୍ୟା କରିଛନ୍ତି। ମୃତ ଚାରି ଜଣ ଗୋଟିଏ ପରିବାରର ଅଟନ୍ତି। ଯେଉଁମାନଙ୍କୁ ଘର ବାହାରେ ଫାଶୀ ଦିଆଯାଇଥିଲା। ନକ୍ସଲଙ୍କ ମନ ଏତିକିରେ ଭରି ନଥିଲା, ସେମାନେ ବୋମା ସାହାଯ୍ୟରେ ପୀଡିତଙ୍କ ଘରକୁ ଉଡ଼ାଇ ଦେଇଥିଲେ। ଏଭଳି ଅଭିଯାନ ସଫଳ ହେବା ପରେ ନକ୍ସଲମାନେ ସେଠାରେ ଏକ ଚିଠି ମଧ୍ୟ ଛାଡି ଯାଇଛନ୍ତି । ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଗତ ଶନିବାର ରାତିରେ ଗୟା ଜିଲ୍ଲାର ମାଉନୱାର ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଏହି ଘଟଣାକୁ ନିଶ୍ଚିତ କରି ଜିଲ୍ଲାର ବରିଷ୍ଠ ଅଧିକାରୀମାନେ କହିଛନ୍ତି ଯେ, ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଗୋଟିଏ ପରିବାରର ଚାରି ଜଣଙ୍କୁ ହତ୍ୟା କରିଛନ୍ତି। ଏ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଦୁଇ ମହିଳାଙ୍କ ସମେତ ଚାରି ଜଣଙ୍କୁ ଫଶି ଦେଇ ହତ୍ୟା କରିବା ପରେ ସେମାନଙ୍କ ଘରକୁ ବୋମାମାଡ କରି ନକ୍ସଲମାନେ ଉଡାଇ ଦେବା ସହ ଗୋଟିଏ ବାଇକକୁ ଜାଳି ଦେଇଛନ୍ତି। ମୃତକଙ୍କ ନାମ ସତ୍ତେନ୍ଦ୍ର ସିଂ, ମହେନ୍ଦ୍ର ସିଂ, ମନୋରାମା ଦେବୀ ଏବଂ ସୁନୀତା ସିଂ ବୋଲି ସୂଚନା ମିଳିଛି। ମାଓବାଦୀମାନେ ପୋଷ୍ଟର ଲଗାଇ କହିଛନ୍ତି ଯେ, ମାନବିକତାର ହତ୍ୟାକାରୀ, ଦେଶଦ୍ରୋହୀ ତଥା ବିଶ୍ୱାସଘାତକଙ୍କୁ ମୃତ୍ୟୁ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହା ହେଉଛି ତାଙ୍କର ଚାରି ସାଥୀ ଅମରଶ, ସୀତା, ଶିବପୁଜନ ଏବଂ ଉଦୟଙ୍କ ହତ୍ୟା ପାଇଁ ପ୍ରତିଶୋଧ। ଭବିଷ୍ୟତରେ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ଜାରି ରହିବ। ତାଙ୍କୁ ବିଷ ଦେଇ ଷଡଯନ୍ତ୍ରର ଶିକାର କରାଯାଇଥିଲା। ଘଟଣାସ୍ଥଳରୁ ଜବତ ପୋଷ୍ଟରରେ ଜନ ମୁକ୍ତି ଛାପାକାର ସେନା, ସେଣ୍ଟ୍ରାଲ୍ ଜୋନ୍ ଝାଡଖଣ୍ଡ, ସିପିଆଇ (ମାଓବାଦୀ) ଙ୍କ ନାମରେ ଲେଖାଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଏହି ବିଷୟରେ କେହି ଅଧିକ କହିବାକୁ ଚାହୁଁ ନାହାନ୍ତି। ଗୟା ପୋଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି।
ସୂଚନା ଯେ, ଶନିବାର ମହାରାଷ୍ଟ୍ରର ଗଡ଼ଚିରୋଲି ଏନ୍କାଉଣ୍ଟରରେ ୨୬ ମାଓବାଦୀ ମୃତ ହୋଇଛି। ମୃତକଙ୍କ ମଧ୍ୟରୁ ୬ ଜଣ କୁଖ୍ୟାତ ଓ ଇନାମୀ ମାଓବାଦୀ ଥିବା ସୂଚନା ମିଳିଛି। ମୃତ ମାଓ ନେତା ମିଲିନ୍ଦ ତେଲତୁମ୍ବଡ଼େ ମୁଣ୍ଡରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ଥିଲା। ସେ ଭୀମା କୋରୋଗାଁଓ ହିଂସାରେ ସଂପୃକ୍ତ ଥିଲା। ଲୋକେଶ ମଙ୍ଗୁ ମୁଣ୍ଡରେ ଥିଲା ୨୦ ଲକ୍ଷ, କମାଣ୍ଡର କିଷନ ମୁଣ୍ଡରେ ୮ ଲକ୍ଷ, ମହେଶ ଶିବାଜୀ ମୁଣ୍ଡରେ ୧୬ ଲକ୍ଷ ଓ ତିଲକ ମଙ୍କୁର ମୁଣ୍ଡରେ ୬ ଲକ୍ଷ ଟଙ୍କାର ପୁରସ୍କାର ଥିଲା।
